ଟି-୨୦ ବିଶ୍ୱକପ : ଜିମ୍ବାୱେକୁ ୭୧ ରନ୍ରେ ହରାଇଲା ଭାରତ, ସେମିରେ ଇଂଲଣ୍ଡ ସହ ମୁକାବିଲା
ସିଡନୀ: ଚଳିତ ଟି-୨୦ ବିଶ୍ୱକପର ସୁପର ୧୨ ମୁକାବିଲା ସରିଛି। ଶେଷ ମ୍ୟାଚ୍ ତଥା ୪୨ତମ ମୁକାବିଲାରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ରବିବାର ମେଲବର୍ଣ୍ଣରେ ଖେଳାଯାଇଥିବା ମୁକାବିଲାରେ ଜିମ୍ବାୱେକୁ ୭୧ ରନ୍ରେ ହରାଇ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହ ଭାରତ ଗ୍ରୁପ -୨ର ଶୀର୍ଷ ସ୍ଥାନ ହାସଲ କରିଛି। ଏବେ ଭାରତ ସେମି ଫାଇନାଲ୍ରେ ଗ୍ରୁପ-୧ର ଦ୍ଵିତୀୟ ସ୍ଥାନରେ ଥିବା ଇଂଲଣ୍ଡକୁ ଭେଟିବ।
ବ୍ୟାଟିଂ ପରେ ବୋଲିଂରେ ଜଲୱା ଦେଖାଇଛି ଭାରତୀୟ ଟିମ୍। କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଜବରଦସ୍ତ ବ୍ୟାଟିଂ ପରେ ମହମ୍ମନ ସାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ୍ ଅଶ୍ୱିନ ବୋଲିଂରେ କମାଲ କରିଛନ୍ତି । ଏଥିସହ ଭାରତୀୟ ଟିମ୍ ଗ୍ରୁପ୍-୨ର ଟପ୍ପର ହୋଇଛି। ମେଲ୍ବର୍ଣ୍ଣ ଷ୍ଟାଡିୟମ୍ରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତର ୧୮୬/୫ ଜବାବରେ ଜିମ୍ବାଓ୍ୱେ ୧୧୫ରେ ଅଲ୍ଆଉଟ୍ ହୋଇଯାଇଥିଲା। ତେଣୁ ଗ୍ରୁପ୍-୨ରେ ୮ ପଏଣ୍ଟ ସହ ଭାରତ ପ୍ରଥମ, ୬ ପଏଣ୍ଟ ସହ ପାକିସ୍ତାନ ୨ୟ ସ୍ଥାନ ପାଇଛି। ୯ରେ ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ। ୧୦ରେ ୨ୟ ସେମିରେ ଆଡିଲେଡରେ ଇଂଲଣ୍ଡକୁ ଭେଟିବ ଭାରତ। ୧୩ ତାରିଖରେ ମେଲବର୍ଣ୍ଣରେ ଖେଳାଯିବ ଫାଇନାଲ ମ୍ୟାଚ୍।
ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା। ଭାରତ ପ୍ରଥମ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲେ ବି ୩.୫ ଓଭର ଖେଳ ବେଳେ ଦଳର ପ୍ରଥମ ୱିକେଟ୍ ଖସିଥିଲା। ଆଜି ପୁଣି ଫେଲ୍ ମାରିଥିଲେ ରୋହିତ ଶର୍ମା(୧୫)। ଦଳୀୟ ସ୍କୋର ସ୍କୋର ୨୭ ରନ ବେଳେ ରୋହିତଙ୍କ ରୂପରେ ପ୍ରଥମ ୱିକେଟ୍ ହରାଇଥିଲା ଭାରତ। ଏହାପରେ ବିରାଟ କୋହଲି ଓ କେଏଲ୍ ରାହୁଲ ଦୁହେଁ ମିଶି ବଡ଼ ରକ୍ଷଣାତ୍ମକ ଶୈଳୀରେ ଦଳର ଖେଳ ସମ୍ଭାଳିଥିଲେ। ୧୦ ଓଭର ଖେଳ ଶେଷ ବେଳକୁ ଭାରତ ୭.୯ ରନ୍ ହାରରେ ମୋଟ ୭୯ ରନ୍ କରିଥିଲା। ହେଲେ ୧୧.୫ ବଲରେ ବିରାଟ କୋହଲି(୨୬) ଦ୍ରୁତ ଗତିରେ ରନ୍ କରିବା ଚକ୍କରେ ବଡ ସଟ୍ ମାରି ଆଉଟ ହୋଇଥିଲେ। ଦଳର ସ୍କୋର ୮୯ ବେଳେ ୨ଟି ୱିକେଟ୍ ହରାଇଥିଲା ଭାରତ। ଏପଟେ କେଏଲ ରାହୁଲ(୫୧) ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲେ। ଛକ୍କା ମାରି ଅର୍ଦ୍ଧଶତକ ହାସଲ କରିବା ପରେ ସେ ପରବର୍ତ୍ତୀ ବଲ୍ରେ ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୯୫ ବେଳେ ଟିମ୍ ଇଣ୍ଡିଆ ତୃତୀୟ ୱିକେଟ୍ ହରାଇଥିଲା।
ଏହାପରେ ବିରାଟଙ୍କ ଜାଗାରେ ଆସିଥିବା ପନ୍ତ(୩) ବି ସଙ୍ଗେ ସଙ୍ଗେ ଆଉଟ୍ ହୋଇଯାଇଥିଲେ। ପନ୍ତ ଆଉଟ୍ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ ଜାରି ରଖିଥିଲେ। ୧୫ ଓଭର ଶେଷ ବେଳକୁ ଦଳ ୩ ୱିକେଟ୍ ହରାଇ ୧୦୭ ରନ୍ କରିଥିଲା। ଏହାପରେ ଦୁଇ ବ୍ୟାଟ୍ସମ୍ୟାନ୍ ମିଶି ଛକ୍କା ଚୌକା ବର୍ଷା କରିଥିଲେ। ଦଳ ୧୯ ଓଭରରେ ୪ ୱିକେଟ ହରାଇ ୧୬୫ ରନ୍ କରିଥିଲା। ଶେଷ ଓଭର ୨ୟ ବଲ୍ରେ ୧୮ ରନ୍ କରି ଆଉଟ୍ ହୋଇଥିଲେ ହାର୍ଦ୍ଦିକ୍ ପାଣ୍ଡ୍ୟା। ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଅକ୍ଷର ପଟେଲ। ହେଲେ ସୂର୍ଯ୍ୟ କୁମାର ଯାଦବଙ୍କ ଧୂଆଁଦାର ବ୍ୟାଟିଂ ଆଗରେ ଜିମ୍ୱାୱେର ବୋଲର ଫେଲ୍ ମାରିଥିଲେ। ସେ ମାତ୍ର ୨୫ ବଲ୍ରେ ଧୂଆଁଦାର ୬୨ ରନ୍ କରି ନଟ୍ଆଉଟ୍ ରହିଛନ୍ତି। ଫଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର ଖେଳି ୫ ୱିକେଟ୍ ହରାଇ ୧୮୬ ରନ୍ କରିଥିଲା।
୧୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଜିମ୍ବାଓ୍ଵେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରିନପାରି ଜିମ୍ବାଓ୍ଵେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଜିମ୍ବାଓ୍ଵେ ବ୍ୟାଟର। ସିକନ୍ଦର ରାଜା(୩୪) ଏବଂ ରିୟାନ ବୁର୍ଲ(୩୫) ରନ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ଫଳରେ ପାକିସ୍ତାନକୁ ହରାଇ କ୍ରିକେଟ୍ ଜଗତରେ ଚହଳ ପକାଇଥିବା ଜିମ୍ବାଓ୍ଵେ ୧୭.୨ ଓଭରରେ ୧୧୫ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ୪ ଓଭରରେ ୨୨ ରନ ଦେଇ ସର୍ବାଧିକ ୩ଟି ସଫଳତା ପାଇଛନ୍ତି। ମହମ୍ମଦ ଶାମି ୧୪ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ରନ ଦେଇ ଯଥାକ୍ରମେ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ ଏବଂ ଅକ୍ଷର ପଟେଲ୍ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।