ଟି-୨୦ ବିଶ୍ୱକପ୍ : ଟସ ଜିତି ଜିମ୍ବାୱେ ବିପକ୍ଷରେ ଭାରତର ବ୍ୟାଟିଂ ନିଷ୍ପତ୍ତି
ମେଲ୍ବର୍ଣ୍ଣ : ଚଳିତ ଟି-୨୦ ବିଶ୍ବକପ୍ରେ ରବିବାର ଭାରତ-ଜିମ୍ବାୱେ ନିର୍ଣ୍ଣାୟକ ମୁକାବିଲା ହେବ। ଅପରାହ୍ଣ ୧ଟା ୩୦ରେ ମେଲ୍ବର୍ଣ୍ଣର ଐତିହାସିକ ଷ୍ଟାଡିୟମ୍ରେ ଏହି ମ୍ୟାଚ ଖେଳାଯିବ ୩ଟି ବିଜୟ ସହ ୬ ପଏଣ୍ଟ ହାସଲ କରିସାରିଥିବା ଭାରତ ବିଜୟ ହାସଲ କରି ଗ୍ରୁପ୍-୨ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ ସହ ସେମିରେ ପ୍ରବେଶ କରିସାରିଛି । ଜିମ୍ବାୱେ ମଧ୍ୟ ବିପର୍ଯ୍ୟୟ ଘଟାଇବାକୁ ପ୍ରସ୍ତୁତ । ଏହି ମ୍ୟାଚ୍କୁ ନେଇ ଉଭୟ ଦେଶର ସମର୍ଥକଙ୍କ ସହ ପାକିସ୍ତାନ କ୍ରିକେଟ୍ ପ୍ରେମୀ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଥିବେ । ଏହି ପରିପ୍ରେକ୍ଷୀରେ ପଡିଥିବା ଟସ ଜିତ ଜିମ୍ବାୱେ ବିପକ୍ଷରେ ଭାରତର ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବୋଲିଂ କରିବ ଜିମ୍ବାୱେ।
ଚଳିତ ବିଶ୍ବକପ୍ରେ ଅଦ୍ୟାବଧି ୫ଟି ମ୍ୟାଚ୍ରୁ ପ୍ରଥମଟି (ଭାରତ-ପାକିସ୍ତାନ) ବର୍ଷା ଦ୍ବାରା ଅଣପ୍ରଭାବିତ ରହିଥିଲା। ଇଂଲଣ୍ଡ ଓ ଆୟର୍ଲାଣ୍ଡ ମ୍ୟାଚ୍ ବର୍ଷା ପାଇଁ କାଣ୍ଟଛାଣ୍ଟ ହୋଇଥିବା ବେଳେ ଇଂଲଣ୍ଡ ହାରିଥିଲା। ଏହା ପରେ ୩ଟି ମ୍ୟାଚ୍କୁ ବର୍ଷା ଧୋଇନେଇଛି। ସୌଭାଗ୍ୟବଶତଃ ରବିବାର ମୁକାବିଲା ପାଇଁ ବର୍ଷାର ପୂର୍ବାନୁମାନ ନାହିଁ। ସତେଜ ପିଚ୍ କାରଣରୁ ସିମ୍ ବୋଲରଙ୍କୁ ନିଶ୍ଚିତ ସହାୟତା ମିଳିବ। ବ୍ୟାଟର୍ମାନେ କିନ୍ତୁ ଭଲରେ ବ୍ୟାଟ୍କୁ ବଲ୍ ଆସିବା ଆଶାରେ ରହିଛନ୍ତି। ଚଳିତ ବିଶ୍ବକପ୍ରେ ଏ ପର୍ଯ୍ୟନ୍ତ ୧୫୫ରୁ ୧୬୦ ରନ୍ ହାରାହାରି ସ୍କୋର୍ ରହିଛି। ଭାରତ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇବା ସହିତ ରାହୁଲ-ରୋହିତ ଏକାଠି କ୍ଲିକ୍ କଲେ ୨୦୦ ରନ୍ ସ୍କୋର୍ କରିବାର ଦକ୍ଷତା ରଖିଛି।
ଭାରତ କେବଳ ସେମିଫାଇନାଲ୍ ଯୋଗ୍ୟତା ନୁହେଁ ଏହି ମ୍ୟାଚ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଭାବେ ନେଇଛି। ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଚମତ୍କାର ଫର୍ମରେ ଥିବାବେଳେ ପ୍ରାରମ୍ଭିକ ବ୍ୟାଟର୍ ରୋହିତ ଶର୍ମା ଏବଂ କେଏଲ୍ ରାହୁଲ୍ ଗୋଟିଏ ଲେଖାଏଁ ଭଲ ପାଳି ଖେଳିଛନ୍ତି। ଏକାଠି ଭଲ ଖେଳିନଥିବାରୁ ଭାରତକୁ ଭଲ ଆରମ୍ଭ ମିଳିନାହିଁ। ତେଣୁ ଏହି ଯୋଡ଼ିଙ୍କୁ ଲୟରେ ରହିବାକୁ ଏହା ବଡ଼ ସୁଯୋଗ ହେବ। ମେଲବର୍ଣ୍ଣରେ ରୋହିତ ଶର୍ମା ଏକାଧିକ ଧଳାବଲ୍ ଶତକ ଜମାଇଥିବାରୁ ଏଠାରେ ଆଉ ଏକ ଅନୁରୂପ ପାଳିର ଆବଶ୍ୟକତା ରହିଛି। ଜିମ୍ବାୱେର ବ୍ୟାଟିଂ ଏତେ ଭଲ ନ ଥିଲେ ମଧ୍ୟ ପାକିସ୍ତାନକୁ ହରାଇବା ସହ ଅନ୍ୟ ଦଳକୁ ଚାଲେଞ୍ଜ୍ ଦେଇ ନିଜ ଶକ୍ତି ଓ ସାମର୍ଥ୍ୟକୁ ଦେଖାଇଛି ଗ୍ରେଗ୍ ଏର୍ଭିନ୍ଙ୍କ ଦଳ। ଭାରତ ପାଇଁ କେବଳ ଆର୍ ଅଶ୍ବିନଙ୍କଠାରୁ ଉନ୍ନତ ପ୍ରଦର୍ଶନର ଆବଶ୍ୟକତା ରହିଛି। ଖରାପ ଖେଳୁନଥିଲେ ବି ନିଜ ଖ୍ୟାତି ଓ ସାମର୍ଥ୍ୟ ମୁତାବକ ପ୍ରଦର୍ଶନ ଦେଇନାହାନ୍ତି ଏହି ଅଭିଜ୍ଞ ସ୍ପିନର୍। ଜିମ୍ବାୱେ ଦଳରେ ବହୁ ବାମହାତୀ (ଗ୍ରେଗ୍ ଏର୍ଭିନ, ସିନ୍ ଏର୍ଭିନ୍, ରୢାନ୍ ବୁର୍ଲ, ସିନ୍ ୱିଲିୟମ୍ସ) ଥିବାରୁ ଭାରତୀୟ ମ୍ୟାନେଜମେଣ୍ଟ୍ ପୁଣି ଦୀପକ ହୁଦାଙ୍କୁ ଖେଳାଇବା କଥା ବିଚାର କରୁଛି। ନିମ୍ନକ୍ରମରେ ଭଲ ବ୍ୟାଟିଂ କରିପାରୁଥିବା ଦ୍ରୁତ ବୋଲର ହର୍ଷଲ୍ ପଟେଲଙ୍କୁ ମଧ୍ୟ ସୁଯୋଗ ଦେବା ଆଲୋଚନା ହୋଇଛି। ମୋଟାମୋଟି ଭାବେ ଭାରତ କିନ୍ତୁ ଅପରିବର୍ତିତ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇବା ଯୋଜନା କରିଛି। ଭାରତ ବିଜୟୀ ହେଲେ ସେମିଫାଇନାଲ୍ରେ ଇଂଲଣ୍ଡକୁ ଭେଟିବ।
ଭାରତ ଓ ଜିମ୍ବାୱେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମୁହାଁମୁହିଁ ହୋଇନାହାନ୍ତି। ଏହି ଫର୍ମାଟର ବିଶ୍ବକପ୍ରେ ଉଭୟ ଦେଶ ରବିବାର ପ୍ରଥମ ଥର ମୁହାଁମୁହିଁ ହେବେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ କିନ୍ତୁ ଭାରତ ୫-୨ରେ ଆଗୁଆ ରହିଛି। ଶେଷ ଥର ପାଇଁ ୨୦୧୬ରେ ପରସ୍ପର ସହ ଖେଳିଥିଲେ। ନିକଟରେ ଭାରତୀୟ ଦିନିକିଆ ଦଳ ଜିମ୍ବାୱେ ଗସ୍ତ କରିଥିଲେ ମଧ୍ୟ କୌଣସି ଟ୍ବେଣ୍ଟି-୨୦ ଖେଳାଳି ସାମିଲ ନଥିଲେ। ପାକିସ୍ତାନକୁ ହରାଇବା ଭଳି ଜିମ୍ବାୱେ ମଧ୍ୟ ଭାରତକୁ ହରାଇ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ଭାରତ ପାଇଁ ପାକିସ୍ତାନ ଜନ୍ମିତ ସିକନ୍ଦର ରାଜା ବିପଦ ହୋଇପାରନ୍ତି।
ଭାରତ : କେଏଲ୍ ରାହୁଲ, ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ଆର ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ ।
ଜିମ୍ବାୱେ : ୱେସଲି ମଧେବିରେ, କ୍ରେଗ ଇରୱିନ(ଅଧିନାୟକ), ରେଗିସ ଚକଭା, ସିନ ୱିଲିୟମ୍ସ, ସିକନ୍ଦର ରାଜା, ମିଲଟନ ସୁମ୍ଭା, ର୍ୟାନ ବର୍ଲ, ଲ୍ୟୁକ ଜୋଙ୍ଗୱେ, ରିଚାର୍ଡ ନଗରଭା, ତେଣ୍ଡାଇ ଚତାରା, ବ୍ଲେସିଂ ମୁଜରବାନି ।