ଟି-୨୦ ବିଶ୍ୱକପ୍ : ଆଜି ଇଂଲଣ୍ଡ-ପାକିସ୍ତାନ ଫାଇନାଲ
ମେଲବର୍ଣ୍ଣ : ଚଳିତ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ ଆଜି ମେଲବର୍ଣ୍ଣରେ ଖେଳାଯିବ । ପାକିସ୍ତାନ ଓ ଇଂଲଣ୍ଡ ୧୯୯୨ ଦିନିକିଆ ବିଶ୍ୱକପ ଭଳି ୨୦୨୨ରେ ଟି-୨୦ ବିଶ୍ୱକପ ଟ୍ରଫି ପାଇଁ ଲଢ଼େଇ କରିବେ । ପାକିସ୍ତାନ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲ ଟିକେଟ ହାତେଇଥିବା ବେଳେ ଇଂଲଣ୍ଡ ଏକତରଫା ଭାବେ ଭାରତକୁ ମାତ ଦେଇ ଫାଇନାଲ ଯାଇଛି ।
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ରବିବାର ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଟାଇଟଲ ମୁକାବିଲାରେ ବର୍ଷା ବାଧକ ସାଜିବାର ସମ୍ଭାବନା ରହିଛି । ଏପରିକି, ରିଜର୍ଭ ଡେ’ରେ ମଧ୍ୟ ବର୍ଷା ହେବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ଆକଳନ କରିଛି । ରବିବାର ଓ ସୋମବାର ଦିନ ୯୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ୧୫ରୁ ୨୫ ମିଲିମିଟର ଓ ସୋମବାର ୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ରବିବାର ମ୍ୟାଚ୍ ସମ୍ଭବ ନହେଲେ ସୋମବାର ଖେଳାଯିବ ବୋଲି ପୂର୍ବରୁ ଆଇସିସି କ୍ରୀଡ଼ାସୂଚୀରେ ଦର୍ଶାଇଥିଲା । ସ୍ଥାନୀୟ ପାଣିପାଗକୁ ଦେଖି କିଛି ନିୟମାବଳୀ ଲାଗୁ କରାଯାଇଛି । ବର୍ଷା ହେଲେ ଅତି କମ୍ରେ ୧୦ ଓଭର ବିଶିଷ୍ଟ ମ୍ୟାଚ୍ କରାଯାଇପାରିବ । ୧୦ ଓଭରରୁ କମ୍ ଓଭର ଖେଳ ହେବ ନାହିଁ । ରିଜର୍ଭ ଡେ’ରେ ବର୍ଷା ଯୋଗୁ ଖେଳ ସମ୍ଭବ ନହେଲେ ଉଭୟ ଦଳ ଟ୍ରଫି ଭାଗ କରିବେ । ରବିବାର ଦିନ ଖେଳ ଆରମ୍ଭ ହେବା ପରେ ବର୍ଷା ଯୋଗୁ ଆଉ ଖେଳ ସମ୍ଭବ ନହେଲେ ସୋମବର ଦିନ ପରବର୍ତୀ ଓଭର ଖେଳ ହେବ । ଉଦାହରଣ ସ୍ୱରୂପ ରବିବାର ମ୍ୟାଚ୍ ଆରମ୍ଭ ହୋଇ ଗୋଟିଏ ଇନିଂସର ୫ ଓଭର ଶେଷ ହେବା ପରେ ବର୍ଷା ଯୋଗୁ ଖେଳ ସମ୍ଭବ ନହେଲେ ପରଦିନ ଷଷ୍ଠ ଓଭରରୁ ଖେଳ ଆରମ୍ଭ କରାଯିବ ।
କିନ୍ତୁ ଏହି ଫାଇନାଲ ଲଢ଼େଇ ଉପରେ ବର୍ଷାର କଳା ବାଦଲ ଘୋଟେଇ ଆସିଛି । ମେଲବର୍ଣ୍ଣର ବର୍ଷାର ଆଶଙ୍କା ରହିଛି । ବର୍ଷା ପାଇଁ ପୂର୍ବରୁ ଆଇସିସି ସଂରକ୍ଷଣ ଦିବସର ବ୍ୟବସ୍ଥା କରିଥିଲା । ଅର୍ଥାତ ରବିବାର ମ୍ୟାଚ୍ ହୋଇ ନ ପାରିଲେ ସୋମବାର ଖେଳାଯିବ । ଏସବୁ ଭିତରେ ଶନିବାର ଆଇସିସି ନିୟମରେ କିଛି ପରିବର୍ତନ କରିଛି । ଆଇସିସି ପକ୍ଷରୁ କୁହାଯାଇଛି ଯେ ଦ ଇଭେଂଟ ଟେକ୍ନିକାଲ କମିଟି(ଇଟିସି) ସଂରକ୍ଷଣ ଦିବସର ମ୍ୟାଚ୍ ସମୟକୁ ୨ ଘଂଟାରୁ ୪ ଘଂଟାକୁ ବୃଦ୍ଧି କରିଛି । ଯଦି ଦରକାର ପଡ଼େ, ତା’ହେଲେ ମ୍ୟାଚ୍ର ରେଜଲ୍ଟ ପାଇଁ ଏହି ନିୟମକୁ ଲାଗୁ କରାଯିବ । ନକଆଉଟ ଷ୍ଟେଜରେ ମ୍ୟାଚର ରେଜଲ୍ଟ ପାଇଁ ପର ସାଇଡ୍ ଅତିକମରେ ୧୦ ଓଭର ଖେଳିବେ । ୧୦ ଓଭର ପରେ ହିଁ ମ୍ୟାଚ୍ର ରେଜଲ୍ଟ ସ୍ଥିର କରାଯିବ । ଏକଥା ପୂର୍ବରୁ ମଧ୍ୟ କୁହାଯାଇଥିଲା । ଧାର୍ଯ୍ୟ ଦିନରେ ମ୍ୟାଚ ଶେଷ କରିବାକୁ ସବୁ ପ୍ରକାରର ଚେଷ୍ଟ କରାଯାଉଛି । ଏଥିପାଇଁ ଆବଶ୍ୟକ ପଡ଼ିଲେ ଓଭର ହ୍ରାସ କରି ମ୍ୟାଚ୍ ଅନୁଷ୍ଠିତ ହେବ । ଯଦି ରବିବାର ଧାର୍ଯ୍ୟ ଓଭର ଖେଳା ଯାଇ ନ ପାରିଲା, ତା’ହେଲେ ମ୍ୟାଚ୍ ସଂରକ୍ଷଣ ଦିବସ ଅର୍ଥାତ ସୋମବାରକୁ ଯିବ । ସଂରକ୍ଷଣ ଦିବସରେ ମ୍ୟାଚ୍ ଭାରତୀୟ ସମୟ ୯.୩୦ରୁ ଆରମ୍ଭ ହେବ । ଧାର୍ଯ୍ୟ ଦିନରେ ଯେଉଁଠି ମ୍ୟାଚ୍ ବନ୍ଦ ହୋଇଥିବ, ସେହିଠାରୁ ଖେଳ ଆରମ୍ଭ ହେବ ବୋଲି ଆଇସିସି କହିଛି । ରବିବାର ମ୍ୟାଚ୍ ସାରିବାକୁ ଆଇସିସି ଅତିରିକ୍ତ ୩୦ ମିନିଟ୍ର ବ୍ୟବସ୍ଥା କରିଛି । ସେହିପରି ସଂରକ୍ଷଣ ଦିବସରେ ଅତିରକ୍ତ ୪ ଘଂଟାର ନିୟମ ଲାଗୁ କରାଯାଇଛି । ଯଦି ସମାନ ସ୍କୋର ପରେ ସୁପର ଓଭର ଖେଳାଯିବ ଓ ସୁପର ଓଭରରେ ବର୍ଷା ବାଧକ ସାଜିବ, ତା’ହେଲେ ପାକିସ୍ତାନ ଓ ଇଂଲଣ୍ଡକୁ ଯୁଗ୍ମ ଭାବେ ବିଜେତା ଘୋଷଣା କରାଯିବ ।