ଟି-୨୦ ବିଶ୍ୱକପ : ୭ ୱିକେଟରେ ଶ୍ରୀଲଙ୍କାକୁ ହରାଇ ବିଜୟ ଧାରାକୁ ଫେରିଲା ଅଷ୍ଟ୍ରେଲିଆ
ପର୍ଥ : ଜବରଦସ୍ତ କମବ୍ୟାକ ସହ ବିଜୟ ଧାରାକୁ ଫେରିଲା ଅଷ୍ଟ୍ରେଲିଆ। ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଏକତରଫା ଭାବେ ପରାସ୍ତ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ଆଜି ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ୧୮ ବଲରେ ଅପରାଜିତ ୫୯ ରନ ବଳରେ ଅଷ୍ଟ୍ରେଲିଆ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସୁପର ୧୨ରେ ଏହା ଅଷ୍ଟ୍ରେଲିଆର ଦ୍ୱିତୀୟ ମ୍ୟାଚ୍ରେ ପ୍ରଥମ ବିଜୟ। ସେହିପରି ଶ୍ରୀଲଙ୍କାର ମଧ୍ୟ ଦ୍ୱିତୀୟ ମ୍ୟାଚ୍ରେ ପ୍ରଥମ ପରାଜୟ।
ଏହି ମ୍ୟାଚ୍ ଜିତିବା ଘରୋଇ ଦଳ ପାଇଁ ଜରୁରୀ ଥିଲା। ଅଷ୍ଟ୍ରେଲିଆ ଆଜିର ମ୍ୟାଚ୍ରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟ୍ରେ ହରାଇ ସହଜ ବିଜୟ ହାସଲ କରିଛି। ଶ୍ରୀଲଙ୍କା ଦ୍ଵାରା ଧାର୍ଯ୍ୟ ୧୫୮ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୩ ଓ୍ଵିକେଟ୍ ହରାଇ ୧୬.୩ ଓଭରରେ ହାସଲ କରି ନେଇଛି। ଷ୍ଟୋଇନିସ୍ ମାତ୍ର ୧୮ ବଲ୍ରୁ ୫୯ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି। ଶ୍ରୀଲଙ୍କା ଦ୍ଵିତୀୟ ମ୍ୟାଚ୍ରୁ ପ୍ରଥମ ପରାଜୟ ଭୋଗିଥିବା ବେଳେ ସମାନ ମ୍ୟାଚ୍ରୁ ଅଷ୍ଟ୍ରେଲିଆ ପ୍ରଥମ ବିଜୟ ହାସଲ କରିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୭ ରନ କରିଥିଲା। ପଥୁନ ନିଶଙ୍କା ଦଳ ପକ୍ଷରୁ ସର୍ବାଧିକ ୪୦ ରନ କରିଥିଲେ ହେଁ ୪୫ ବଲ୍ ଖେଳିଥିଲେ। ଅଶଲଙ୍କା ୨୫ ବଲ୍ରୁ ୩ ଚୌକା ଏବଂ ୨ ଛକା ଜରିଆରେ ୩୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଚମିକା କରୁଣାରତ୍ନେ ୭ ବଲ୍ରୁ ୧୪ ରନ କରିବାରୁ ଶ୍ରୀଲଙ୍କା ୧୫୭ ରନରେ ପହଞ୍ଚି ପାରିଥିଲା। ଧନଞ୍ଜୟ ଡି ସିଲଭା ୨୬ ରନ କରିଥିଲେ ହେଁ ବଡ ସ୍କୋର କରିବାରେ ବିଫଳ ରହିଥିଲେ।
୧୫୭ ରନକୁ ଡିଫେଣ୍ଡ କରିବା ପାଇଁ ଶ୍ରୀଲଙ୍କା ଠିକଠାକ ଆରମ୍ଭ କରିଥିଲା। ୱାନିନ୍ଦୁ ହସରଙ୍ଗାଙ୍କୁ ବ୍ୟବହାର କରି ଅଧିନାୟକ ଦସୁନ ଶଣକା ଅଷ୍ଟ୍ରେଲିଆକୁ ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ଦେଇ ନଥିଲେ। ତେବେ ଶେଷ ଭାଗରେ ସେହି ହସରଙ୍ଗାଙ୍କୁ ଷ୍ଟୋଇନିସ ପ୍ରବଳ ପ୍ରହାର କରିଥିଲେ। ସେ ଶ୍ରୀଲଙ୍କାର ସବୁଠାରୁ ମହଙ୍ଗା ବୋଲର ମଧ୍ୟ ସାବ୍ୟସ୍ତ ହୋଇଛନ୍ତି। ୧୫୮ ରନର ଟାର୍ଗେଟ ପିଛା କରୁଥିବା ଅଷ୍ଟ୍ରେଲିଆ ୨୬ ରନରେ ଡାଭିଡ ୱାର୍ଣ୍ଣର(୧୧), ୬୦ ରନରେ ମିଚେଲ ମାର୍ଶ(୧୮) ଓ ୮୯ ରନରେ ଗ୍ଲେନ ମ୍ୟାକ୍ସୱେଲ(୨୩)ଙ୍କୁ ହରାଇଥିଲା। ମ୍ୟାକ୍ସୱେଲ ଆଉଟ ହେବା ବେଳେ ଅଷ୍ଟ୍ରେଲିଆ ୧୨.୨ ଓଭରରେ ୮୯ ରନ କରିଥିଲା। ଷ୍ଟୋଇନିସ କ୍ରିଜ୍କୁ ଆସିବା କ୍ଷଣି ଅଷ୍ଟ୍ରେଲିଆ ଆଡ଼କୁ ମୋମେଣ୍ଟମ ଶିଫ୍ଟ ହୋଇଥିଲା। କରୁଣାରତ୍ନେଙ୍କୁ ଚୌକା ମାରି ଷ୍ଟୋଇନିସ ନିଜର ଗିୟର ବଦଳାଇଥିଲେ। ଷ୍ଟୋଇନିସଙ୍କୁ ଆଉଟ କରିବା ପାଇଁ ଶଣକା କ୍ରମାଗତ ଭାବେ ବୋଲିଂରେ ପରିବର୍ତ୍ତନ କରିଥିଲେ। ହେଲେ ଲାହିରୁ କୁମାରଙ୍କ ଠାରୁ ଆରମ୍ଭ କରି ମହୀଶ ତିକଶାନା କେହି ବି ଷ୍ଟୋଇନିସଙ୍କ ଆଗରେ ତିଷ୍ଠି ପାରି ନଥିଲେ। ସମସ୍ତଙ୍କ ବଲରେ ସେ ବଡ଼ବଡ଼ ଛକା ଓ ଚୌକା ମାରି ଅଷ୍ଟ୍ରେଲିଆକୁ ଦ୍ରୁତଗତିରେ ବିଜୟ ଆଡ଼କୁ ନେଇ ଯାଇଥିଲେ। ୧୮ ବଲରେ ଅପରାଜିତ ୫୯ ରନର ଇନିଂସ ଖେଳିଥିବା ଷ୍ଟୋଇନିସ ୬ଟି ଛକା ଓ ୪ଟି ଚକୌ ମାରିଛନ୍ତି। ଏହି ମ୍ୟାଚ୍ ବିଜୟୀ ଇନିଂସ ପାଇଁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ମିଳିଛି। ୪୨ ବଲରେ ୬୧ ରନ ଦରକାର ଥିଲା ବେଳେ ନିଜେ ଶଣାକ ବୋଲିଂ କରିବାକୁ ଆସିଥିଲେ। ଏହି ଓଭରରୁ ଷ୍ଟୋନିସ ଦୁଇଟି ଚୌକା ସହ ୧୦ ରନ ଆଦାୟ କରିଥିଲେ। କିନ୍ତୁ ୧୫ତମ ଓଭର ବୋଲିଂ କରୁଥିବା ହସରଙ୍ଗାଙ୍କୁ ସେ ଦୁଇଟି ୬କା ଓ ଗୋଟିଏ ଚୌକା ମାରି ମୋଟ ୧୯ ରନ ହାସଲ କରିଥିଲେ। ୧୬ତମ ଓଭରରେ ମଧ୍ୟ ତାଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଥିଲା। ଏହି ଓଭରେ ତିକଶାନାଙ୍କୁ ୩ଟି ଛକା ମାରି ଷ୍ଟୋଇନିସ ମାତ୍ର ୧୭ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ସେ ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୭ ବଲରେ ୫୦ ରନ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ୧୭ତମ ଓଭରରେ ସେ କୁମାରଙ୍କୁ ୬କା ମାରି ବିଜୟକୁ ଅତି ସହଜ କରି ଦେଇଥିଲେ। ସେହି ଓଭରର ୩ୟ ବଲରେ ଫିଞ୍ଚ ୨ ରନ ନେଇ ଅଷ୍ଟ୍ରେଲିଆ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଧନଞ୍ଜୟ ଡି’ସିଲଭା, ତିକଶାନା ଓ କରୁଣାରତ୍ନେ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।