ଟି-୨୦ ବିଶ୍ଵକପ୍ : ୫ ଓ୍ଵିକେଟ୍ରେ ହାରିଲା ଆଫଗାନିସ୍ତାନ, ବିଜୟରୁ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ
ପର୍ଥ : ଟି-୨୦ ବିଶ୍ଵ କପ୍ର ସୁପର ୧୨ରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟ ହାସଲ କରିଛି। ସାମ କୁରନଙ୍କ ଘାତକ ବୋଲିଂ ୫ ଓ୍ଵିକେଟ୍ ବଳରେ ଜୋଶ ବଟଲରଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ଆଫଗାନିସ୍ତାନକୁ ୫ ଓ୍ଵିକେଟ୍ରେ ହରାଇଛି। ବିଜୟ ସହ ଇଂଲଣ୍ଡ ନିଜର ଅଭିଯାନ ଆରମ୍ଭ କରିଛି। ଦମଦାର ବୋଲିଂ ପାଇଁ ସାମ କୁରାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ପର୍ଥରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯.୪ ଓଭରରେ ୧୧୨ ରନରେ ଅଲଆଉଟ୍ ହୋଇଥିଲା। ଆଫଗାନିସ୍ତାନ ୧୧ ରନରେ ଓପନର ହଜରତୁଲ୍ଲା ଜଜାଇ(୭)ଙ୍କୁ ହରାଇଥିଲା। ଅନ୍ୟତମ ଓପନର ରହମନୁଲ୍ଲା ଗୁରାବାଜ(୧୦) ବେଶୀ କିଛି କରିପାରି ନଥିଲେ। ଜଜାଇଙ୍କ ୱିକେଟ ବେନ ଷ୍ଟୋକ୍ସ ଓ ଗୁରବାଜଙ୍କୁ ମାର୍କ ଉଡ ଆଉଟ କରିଥିଲେ। ଇବ୍ରାହିମ ଜର୍ଦାନ (୩୨) ଓ ଉସମାନ ଘନି(୩୦) କିଛି ସମୟ ଲଢ଼େଇ କରିଥିଲେ। ତେବେ ଏହି ଦୁଇ ଜଣଙ୍କ କୁରାନ ଆଉଟ କରିବା ପରେ ଆଫଗାନ ଲାଇନ ଅଫ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା। ୮୨ ରନରେ ୪ଟି ୱିକେଟ ହରାଇଥିବା ଆଫଗାନିସ୍ତାନ ଶେଷରେ ୧୧୨ ରନରେ ଅଲଆଉଟ ହୋଇଯାଇଥିଲା। ଆଫଗାନ ବିପର୍ଯ୍ୟୟର ପ୍ରମୁଖ କାରଣ ସାଜିଥିଲେ ସାମ କୁରାନ। ସେ ୫ ଜଣ ଆଫଗାନ ବ୍ୟାଟରଙ୍କୁ ଆଉଟ କରି ମହମ୍ମଦ ନବିଙ୍କ ଦଳକୁ ୧୧୨ ରନରେ ଅଟକାଇ ଦେଇଥିଲେ।
୧୧୩ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡକୁ ମ୍ୟାଚ୍ ଜିତିବା ପାଇଁ ୧୯ତମ ଓଭର ଖେଳିବାକୁ ପଡିଥିଲା। ଇଂଲଣ୍ଡକୁ ପ୍ରଥମ ଝଟକା ୩୫ ରନରେ ଲାଗିଥିଲା। ଅଧିନାୟକ ଜୋଶ ବଟଲର(୧୮)ଙ୍କୁ ଆଉଟ କରି ଫଜଲହକ ଫାରୁକି ଆଫଗାନିସ୍ତାନକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଲେକ୍ସ ହେଲ୍ସ ୧୯, ଡାୱଡି ମଲାନ ୧୮, ବେନ ଷ୍ଟୋକ୍ସ ୨ ଓ ହ୍ୟାରୀ ବ୍ରୁକ୍ସ ୭ ରନ କରି ଆଉଟ ହୋଇଛନ୍ତି। ଲିଆମ ଲିଭଙ୍ଗଷ୍ଟୋନ ୨୯ ଓ ମୋଇନ ଅଲୀ ୮ ଶେଷ ଯାଏ ଅପରାଜିତ ରହି ଇଂଲଣ୍ଡକୁ ୧୧ ବଲ ପୂର୍ବରୁ ବିଜୟ କରାଇଥିଲେ। ଆଫଗାନ ପକ୍ଷରୁ ଫାରୁକି, ମୁଜିବ ଉର ରହମନ, ରଶିଦ ଖାନ, ଫରୀଦ ଅହମଦ ଓ ମହମ୍ମଦ ନବି ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।