ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ
ସିଂଲା : ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ବଢ଼ାଣ ଗ୍ରାମର ଚିନ୍ମୟ ପାତ୍ରଙ୍କ ସ୍ତ୍ରୀ ମନ୍ଦାକିନୀଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମନ୍ଦାକିନୀଙ୍କ ଶାଶୁଘର ଲୋକେ ଏହା ଏକ ଆତ୍ମହତ୍ୟା ବୋଲି କହୁଥିବା ବେଳେ ବାପଘର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ଯାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଂଲା ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନା ମୁତାବକ ବାଲିଆପାଳ ଥାନା ଅନ୍ତର୍ଗତ ମହାବଳା ଗ୍ରାମର ଧନଞ୍ଜୟ ପାତ୍ରଙ୍କ ଝିଅ ମନ୍ଦାକିନୀଙ୍କ ସହ ଗତ ୨୦୧୮ ମସିହା ଜୁନ୍ ୨୦ ତାରିଖରେ ବଢ଼ାଣ ଗ୍ରାମର ଚିନ୍ମୟ ପାତ୍ରଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ଶାଶୁଘର ଲୋକଙ୍କ ଦାବି ମୁତାବକ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା । କିନ୍ତୁ ବିବାହ ପରଠାରୁ ଅଧିକ ଯୌତୁକ ଦାବି କରି ଶାଶୁଘର ଲୋକେ ମନ୍ଦାକିନୀଙ୍କୁ ବିଭିନ୍ନ ସମୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ମନ୍ଦାକିନୀଙ୍କର ଦେଢ଼ବର୍ଷର ଶିଶୁ ପୁତ୍ର ରହିଛି । ଗୁରୁବାର ମନ୍ଦାକିନୀଙ୍କ ଶାଶୁଘର ଲୋକେ ମନ୍ଦାକିନୀ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଧନଞ୍ଜୟଙ୍କୁ ଫୋନ କରି ଜଣାଇଥିଲେ । ମାତ୍ର ମନ୍ଦାକିନୀଙ୍କ ବାପଘର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଅଭିଯୋଗ କରିଥିଲେ । ସିଂଲା ଥାନା ପୋଲିସ ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଏକ ମାମଲା (ନଂ. ୧୯୦/୨୨) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।