ସୁରେନ୍ଦ୍ର ନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ରସାଳପୁର : ବାଲେଶ୍ୱର ସଦର ବ୍ଲକ ଖାନନଗର ଗ୍ରାମପଞ୍ଚାୟତର ଖାନନଗର ଗ୍ରାମ ଖେଳପଡ଼ିଆରେ ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ରନାଥ ଦାସଙ୍କ ସ୍ମୃତିରେ ‘ସୁରେନ୍ଦ୍ର ନାଥ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ’ ଉଦ୍ଘାଟିତ ହୋଇଛି । ଏହି ଅବସରରେ ବରିଷ୍ଠ ଆଇନଜୀବୀ ଅନିରୁଦ୍ଧ ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସରକାରଙ୍କର ବିଭିନ୍ନ କ୍ରୀଡ଼ା ପ୍ରତି ଥିବା ଯୋଜନା ବିଷୟରେ ଆଲୋକପାତ କରିଥିଲେ । କର୍ମକର୍ତ୍ତାଙ୍କ ଗ୍ରାମୀଣକ୍ରୀଡ଼ାର ବିକାଶ ପାଇଁ ଏତାଦୃଶ କାର୍ଯ୍ୟକ୍ରମର ପ୍ରଶଂସା କରିବାସହ ଆଗାମୀ ଦିନରେ ଖେଳପଡ଼ିଆ ତଥା ପ୍ରତିଭାବାନ ଖେଳାଳିମାନଙ୍କ ବିକାଶ ପାଇଁ ସହଯୋଗର ହାତ ବଢ଼ାଇବେ ବୋଲି ଆଭିଭାଷଣରେ ଜଣାଇଥିଲେ । ବିଶିଷ୍ଟ ସମାଜ ସେବୀ ହରେନ୍ଦ୍ରନାଥ ଦାସ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କବି କାଳିପଦ ପଣ୍ଡା, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଉମିଲତା ଦାସ, ସମାଜ ସେବୀ ସଞ୍ଜୀବ ଜେନା, ଜାତୀୟ କ୍ରୀଡ଼ାବିତ୍ ତଥା ମାନବାଧିକାର କର୍ମୀ ସୁଧାକର ସେଠୀ, ଗୋପାଳ ପଢ଼ିଆରୀ, ସଂଗଠନର ମୁଖ୍ୟ ସଞ୍ଜୟ ଦାସ ପ୍ରମୁଖ ଯୋଗଦାନ କରି କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିବା ସହିତ ଏମିତି କ୍ରୀଡ଼ା ଆୟୋଜନ ନୂଆ ପ୍ରତିଭା ସୃଷ୍ଟି କରିବ ବୋଲି ନିଜନିଜ ବକ୍ତବ୍ୟରେ କହିଥିଲେ । ପ୍ରାରମ୍ଭିକ ସୂଚନା ବରିଷ୍ଠ ସଦସ୍ୟ ହେମେନ୍ଦ୍ର କୁମାର ବୁଗୁଡେଇ ଦେଇଥିବା ବେଳେ ଯୁବ ସମାଜସେବୀ ପ୍ରଣବକୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।
ଉଦ୍ଘାଟନୀ ମ୍ୟାଚ୍ରେ ପ୍ରେଣ୍ଡସ୍ କ୍ରିକେଟ କ୍ଲବ ରେମୁଣା ସହ ଅଲରାଉଣ୍ଡର କ୍ରିକେଟ କ୍ଲବ ବାଲେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପ୍ରେଣ୍ଡସ୍ କ୍ରିକେଟ କ୍ଲବ ରେମୁଣାର ଅଧିନାୟକ ଦୀପକ ସାହୁ ଟସ ଜିଣି ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ ଓଭରରେ ୨୦୩ରନ ସଂଗ୍ରହ କରିଥିଲେ । ଜବାବରେ ଅଲରାଉଣ୍ଡର କ୍ରିକେଟ କ୍ଲବ ବାଲେଶ୍ୱର ଅଧିନାୟକ ବିବେକାନନ୍ଦ ଚୌଧୁରୀ ନେତୃତ୍ୱରେ ୨୦୩ ରନର ପିଛାକରି ୧୮ ଓଭରରେ ୪ଉଇକେଟ ହରାଇ ବିଜୟ ହାସଲ କରିଥିଲେ । ୩୪ ବଲରେ ୮୦ରନ ସଂଗ୍ରହ କରି ଚିତ୍ତାକର୍ଷକ କ୍ରୀଡ଼ା ପ୍ରଦର୍ଶନ କରିଥିବା ଅଜୟ ପ୍ରଧାନଙ୍କୁ ମେନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିବା ବେଳେ ସଂଗଠନର ଅଧ୍ୟକ୍ଷ ସଞ୍ଜୟ ଦାସ ନଗଦ ୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସୁଶାନ୍ତ ନାୟକ ଓ ପିତାମ୍ବର ପଣ୍ଡା ଅମ୍ପେୟାର ଥିବା ବେଳେ ସଙ୍ଗଠନର ସକ୍ରିୟ ସଦସ୍ୟ ଗୋପିନାଥ ମିଶ୍ର, ପ୍ରଣବ ନାୟକ, ରବୀନ ଦାସ, ଅବିନାଶ ନାୟକ, ଦିବ୍ୟରଞ୍ଜନ ମଲ୍ଲିକ, ମାନସ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ସ୍ଥାନୀୟ ଗ୍ରାମବାସୀସମେତ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ କ୍ରିକେଟ ପ୍ରେମୀ ଉପସ୍ଥିତ ରହି ଗ୍ରାମୀଣ କ୍ରିକେଟର ଭରପୁର ମଜା ଉଠାଇଥିଲେ । ବାକିଥିବା ଆଉ ୩ଟି ଲିଗ୍ ମ୍ୟାଚ୍ ପାଇଁ ବାଲେଶ୍ୱରର ବିଭିନ୍ନ ଅଞ୍ଚଳରୁ କ୍ରିକେଟ କ୍ଲବ ଯୋଗଦାନ କରିବେ । ଫାଇନାଲ ମ୍ୟାଚ୍ ଆସନ୍ତା ୨୨ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି ।