ସୁରେନ୍ଦ୍ର ନାଥ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ; ସନଲାଇଟ କ୍ଲବ ଛଣପୁର ଚମ୍ପିୟାନ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଖାନନଗର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖାନନଗର ଖେଳପଡ଼ିଆରେ ଆୟୋଜିତ “ସୁରେନ୍ଦ୍ର ନାଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ’ ଉଦ୍ଯାପିତ ହୋଇଛି । ଉଦ୍ଯାପନୀ ସଭାରେ ଜାତୀୟ କ୍ରୀଡ଼ାବିତ୍ ଓ ମାନବାଧିକାର କର୍ମୀ ସୁଧାକର ସେଠୀ ସଭାପତିତ୍ୱ କରିଥିଲେ । ପୂର୍ବତନ ଏମ୍ପି ଇଂ. ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରି ଗ୍ରାମୀଣ କ୍ରୀଡ଼ାର ବିକାଶ ପାଇଁ ଏତାଦୃଶ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ରାଜ୍ୟ ସରକାର କିପରି ଗ୍ରାମୀଣ କ୍ରୀଡ଼ା ବିକାଶ ପାଇଁ ନୂତନ ଯୋଜନା କରିଛନ୍ତି ବିଶଦ ଭାବରେ ଜଣାଇଥିଲେ । ବିଶିଷ୍ଟ ସମାଜ ସେବୀ ହରେନ୍ଦ୍ରନାଥ ଦାସ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ଉମିଲତା ଦାସ, ଗେଙ୍ଗୁଟି ସମିତି ସଭ୍ୟା ପୁଷ୍ପଶ୍ରୀ ରାଉତ, ବରିଷ୍ଠ ଆଇନଜୀବୀ ବିଜୟ ଦାସ, ଯୁବ ସମାଜ ସେବୀ ସୁବ୍ରତ ମହାନ୍ତି, ସୋମନାଥ ନାୟକ, ସଂଗଠନ ମୁଖ୍ୟ ସଞ୍ଜୟ ଦାସ ପ୍ରମୁଖ ଯୋଗଦେଇ ଉନ୍ନତ ଖେଳ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ ।
ଉଦ୍ଯାପନୀ ମ୍ୟାଚ୍ ସନଲାଇଟ କ୍ଲବ ଛଣପୁର ଓ ବିକାଶ କ୍ଲବ ଚାନ୍ଦିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସନଲାଇଟ କ୍ଲବ ଛଣପୁର ଚମ୍ପିୟାନ ହୋଇଥିଲା । ବିଜେତା ଦଳକୁ ଟ୍ରଫିସହ ନଗଦ ୧୦ ହଜାର ଟଙ୍କା, ରନର୍ସଅପ୍ ଦଳକୁ ନଗଦ ୭ ହଜାର ଟଙ୍କା ସଂଗଠନ ପକ୍ଷରୁ ପ୍ରଦାନ କରାଯାଇଥିଲା । ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସନଲାଇଟ କ୍ଲବର ଦେବାଶିଷ ମହାନ୍ତି, ମ୍ୟାନ୍ ଅଫ୍ ଦି ସିରିଜ୍ ଉମାକାନ୍ତ ଦାଶ ପାଇଥିଲେ । ନବକୁମାର ନାୟକ, ସୁଶାନ୍ତ ନାୟକ ଓ ପିତାମ୍ବର ପଣ୍ଡା ଅମ୍ପେୟାର ଥିବା ବେଳେ ପୁରସ୍କାର ସ୍ଥାନୀୟ ଗ୍ରାମବାସୀ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ କ୍ରିକେଟ୍ ପ୍ରେମୀ ଉପସ୍ଥିତ ରହି ଖେଳର ଭରପୁର ମଜା ଉଠାଇଥିଲେ ।