ତୁରନ୍ତ କୋଭିଡ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଲା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ତୁରନ୍ତ କୋଭିଡ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଅ। ଏନେଇ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଏମ ଆର ଶାହା ଏବଂ ବିବି ନାଗରତ୍ନଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦି କୌଣସି ଦାବିଦାରଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କିମ୍ବା ସେମାନଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିବା ଉପରେ କୌଣସି ଅଭିଯୋଗ ଥାଏ, ତେବେ ସେମାନେ ସମ୍ପୃକ୍ତ ଅଭିଯୋଗ ନିବାରଣ ସମିତି ନିକଟକୁ ଯାଇପାରିବେ।
ଏହା ସହ ଚାରି ସପ୍ତାହ ମଧ୍ୟରେ ଦାବିଦାରଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଖଣ୍ଡପୀଠ ଅଭିଯୋଗ ନିବାରଣ ସମିତିକୁ ନିର୍ଦ୍ଦେଶ ଦେଇଛନ୍ତି।ଖଣ୍ଡପୀଠ କହିଛନ୍ତି ଯେ ଆମର ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ବିଳମ୍ବ ନକରି ଯୋଗ୍ୟ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇ ଆମେ ଏହି ଆବେଦନର ଶୁଣାଣି ଶେଷ କରିଛୁ। ଯଦି କୌଣସି ଦାବିଦାରଙ୍କର କୌଣସି ଅଭିଯୋଗ ଅଛି ତେବେ ସେ ଅଭିଯୋଗ ନିବାରଣ ସମିତି ନିକଟକୁ ଯାଇପାରିବେ।
ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ସରକାର, ରାଜ୍ୟ ଏସଡିଆରଏଫ ଆକାଉଣ୍ଟରୁ ବ୍ୟକ୍ତିଗତ ଜମା ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିବା ଅଭିଯୋଗ ଉପରେ ଶୁଣାଣି କରି ଖଣ୍ଡପୀଠ ସମ୍ପୃକ୍ତ ଟଙ୍କାକୁ ଦୁଇ ଦିନ ମଧ୍ୟରେ ଏସଡିଆରଏଫ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।