ତିସ୍ତା ସୀତଲଓ୍ବାଡଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ମାମଲାରେ ନିର୍ଦ୍ଦୋଷଙ୍କୁ ଫସାଇବା ପାଇଁ ଜାଲ୍ ପ୍ରମାଣ ତିଆରି ଅଭିଯୋଗରେ ଜେଲରେ ଥିବା ସାମାଜିକ କର୍ମୀ ତିସ୍ତା ସୀତଲଓ୍ବାଡଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ ତାଙ୍କ ନିୟମିତ ଜାମିନ ଉପରେ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ସୀତଲଓ୍ବାଡଙ୍କୁ ତାଙ୍କ ପାସପୋର୍ଟକୁ କୋର୍ଟରେ ଜମା କରିବାକୁ ଓ ତଦନ୍ତରେ ସହଯୋଗ କରିବାକୁ ସୁପ୍ରିମକୋର୍ଟ ତାଙ୍କୁ କହିଛନ୍ତି ।
୨୦୦୨ ଗୁଜରାଟ ଦଙ୍ଗା ମାମଲାରେ “ନିରୀହ ଲୋକ”ଙ୍କୁ ଫସାଇବା ପାଇଁ ଜାଲ୍ ପ୍ରମାଣ ସୃଷ୍ଟି କରିବା ଅଭିଯୋଗରେ ସୀତଲଓ୍ବାଡଙ୍କୁ ଗିରଫ କରାଯାଇଥିଲା। ଗୁଜୁରାଟ ହାଇକୋର୍ଟ ଅଗଷ୍ଟ ୩ରେ ସୀତଲଓ୍ବାଡଙ୍କ ଜାମିନ ଆବେଦନ ଉପରେ ରାଜ୍ୟ ସରକାରଙ୍କୁ ନୋଟିସ ପଠାଇଥିଲେ ଏବଂ ସେପ୍ଟେମ୍ବର ୧୯କୁ ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ। ଏହାଛଡ଼ା ସୀତଲଓ୍ବାଡଙ୍କ ବିରୋଧରେ ଏ ଯାଏଁ କାହିଁକି ଚାର୍ଜସିଟ୍ ଦାଖଲ ହୋଇନାହିଁ ବୋଲି ଗୁଜରାଟ ସରକାରଙ୍କୁ ପ୍ରଶ୍ନ କରିଥିଲେ ।