ଅକ୍ସିଜେନ ଓ ଔଷଧ ବିତରଣ ପାଇଁ ଜାତୀୟ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ସାରା ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଇଥିବା ବେଳେ ଦେଶରେ ଅକ୍ସିଜେନ ଅଭାବରୁ ପ୍ରତିଦିନ ହଜାର ହଜାର ସଂକ୍ରମିତଙ୍କ ମୃତ୍ୟୁ ହେଉଛି । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଠିକ୍ ଭାବେ ଅକ୍ସିଜେନ ଯୋଗାଇବାରେ ବିଫଳ ହେବାପରେ ବଡ଼ ପଦକ୍ଷେପ ନେଇଛନ୍ତି ସୁପ୍ରିମ୍କୋର୍ଟ । ସାରା ଦେଶରେ ଅକ୍ସିଜେନ ଯୋଗାଣ, ଆବଶ୍ୟକ ଓ ଆକଳନ ଉପରେ ନଜର ରଖିବା ପାଇଁ ସୁପ୍ରିମକୋର୍ଟ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି । ଏଥିରେ ୧୨ ସଦସ୍ୟ ରହିଛନ୍ତି । ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଏହି ଟାସ୍କଫୋର୍ସ ଅମ୍ଳଜାନ ଆବଣ୍ଟନ ଲାଗି ଦରକାର ପଡ଼ୁଥିବା ମାନବ ସମ୍ବଳ କେନ୍ଦ୍ରସରକାରଙ୍କଠାରୁ ନେବେ ଏଥିଲାଗି ଟାସ୍କଫୋର୍ସକୁ ସମସ୍ତ ସ୍ୱାଧୀନତା ଦିଆଯାଇଛି । ମହାମାରୀ ସମୟରେ ଜାତୀୟ ସ୍ତରରେ ଜନସ୍ୱାସ୍ଥ୍ୟ ସେବାକୁ ଯେପରି ସହଜ କରିହେବ ତାହାକୁ ଦୃଷ୍ଟିରେ ରଖି ଏହି ଟାସ୍କଫୋର୍ସ ଗଠନ କରାଯାଇଥିବା ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏହି ସଦସ୍ୟମାନେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ନଜର ରଖିବେ ।
କେବଳ ଅକ୍ସିଜେନ ବଣ୍ଟନ ନୁହେଁ, ଜରୁରୀ ଔଷଧ ବିତରଣ ଉପରେ ମଧ୍ୟ ଏମାନଙ୍କର ନଜର ରହିବ । କରୋନା ମହାମାରୀ ବେଳେ ଲୋକଙ୍କୁ ଆବଶ୍ୟକ ଅକ୍ସିଜେନ ଓ ଔଷଧ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଏହି ଟାସ୍କଫୋର୍ସ ଗଠନ କରିଛନ୍ତି । ଏହି ଟାସ୍କଫୋର୍ସର ନେତୃତ୍ୱ ପଶ୍ଚମବଙ୍ଗ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ବିଜ୍ଞାନର ପୂର୍ବତନ କୁଳପତି ଡା. ଭବତୋଷ ବିଶ୍ୱାସ ନେବେ । ତାଙ୍କ ବ୍ୟତୀତ ଟାସ୍କଫୋର୍ସରେ ମେଦାନ୍ତ ହସ୍ପିଟାଲର ମୁଖ୍ୟ ଡା. ନରେଶ ତେହେରାନ, ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲର ଅଧ୍ୟକ୍ଷ ଡା. ଦେବେନ୍ଦ୍ର ସିଂହ ରାଣା, ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲର କଲେଜର ପ୍ରଫେସର ଡା.ଗଗନଦୀପ କଙ୍ଗ ଓ ନିର୍ଦ୍ଦେଶକ ଜେଭି ପିଟର, ବେଙ୍ଗାଲୁରୁର ସ୍ଥିତ ନାରାୟଣ ହେଲଥ କେୟାରର ଅଧ୍ୟକ୍ଷ ଡା. ଦେବୀ ପ୍ରସାଦ ସେଟ୍ଟୀ, ମୁମ୍ବାଇର ଫୋରଟିସ ହସ୍ପିଟାଲର ଆଇସିୟୁ ନିର୍ଦ୍ଦେଶକ ଡା. ରାହୁଲ ପଣ୍ଡିତ ପ୍ରମୁଖ ରହିଛନ୍ତି । ନ୍ୟାଶନାଲ ଟାସ୍କଫୋର୍ସର ଆବାହକ ଭାବେ କେନ୍ଦ୍ରସରକାରଙ୍କ କ୍ୟାବିନେଟ୍ ସଚିବ କାର୍ଯ୍ୟ କରିବେ । ଦରକାର ପଡ଼ିଲେ କ୍ୟାବିନେଟ୍ ସଚିବ ଜଣେ ଅଧିକାରୀଙ୍କୁ ତାଙ୍କ ବଦଳରେ ନିଯୁକ୍ତ କରିପାରିବେ । କିନ୍ତୁ ଉକ୍ତ ଅଧିକାରୀଙ୍କ ପାହ୍ୟା ଆଡିସନାଲ ସଚିବ ତଳକୁ ହୋଇ ନଥିବ ବୋଲି କୋର୍ଟ କହିଛନ୍ତି । ସୂଚନା ଯେ, କରୋନା ମହାମାରୀ ସମୟରେ ବିଭିନ୍ନ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ଅଭାବ ଯୋଗୁ ପ୍ରତିଦିନ ବହୁ ସଂଖ୍ୟାରେ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି । ରାଜଧାନୀ ଦିଲ୍ଲୀ ସମେତ ଏକାଧିକ ରାଜ୍ୟରେ ଅକ୍ସିଜେନ ସଙ୍କଟ ସମ୍ପର୍କିତ ମାମଲାର ଶୁଣାଣି ଏବେ ସୁପ୍ରିମକୋର୍ଟରେ ଜାରି ରହିଛି ।