ଜାତୀୟସ୍ତର ଭଲିବଲରେ ଅଂଶଗ୍ରହଣ କରି ଗୌରବ ଆଣିଲେ ସୁନିଲ, ସମ୍ବର୍ଦ୍ଧିତ କଲେ ଜିଲାପାଳ
ବାରିପଦା : ମୟୁରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବ ପ୍ରତିଭାବାନ ଭଲିବଲ ଖେଳାଳି ସୁନିଲ କୁମାର ଧଳଙ୍କୁ ଜିଲ୍ଲାପାଳ, ମୟୁରଭଞ୍ଜ ବିନୀତ ଭରଦ୍ୱାଜ, ଭା ପ୍ର ସେ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଶ୍ରୀ ଧଳ ଚଳିତ ମାସ ଉତ୍ତରାଖଣ୍ଡଠାରେ ଅନୁଷ୍ଠିତ ୨୩ ତମ ଯୁବ ଜାତୀୟ ଭଲିବଲ ଚାମ୍ପିୟାନସିପରେ ଓଡିଶା ଦଳ ତରଫରୁ ଅଂଶ ଗ୍ରହଣ କରି ଉଚ୍ଚ ମାନର ଖେଳ ପ୍ରଦର୍ଶନ କରିଥିଲେ I ରସଗୋବିନ୍ଦପୁର ବ୍ଲକର ଅସନଖଲି ଗ୍ରାମରେ ପ୍ରଥମେ ଭଲିବଲ ଖେଳ ଆରମ୍ଭ କରି ପରବର୍ତ୍ତୀ ସମୟରେ ବାରିପଦାର ମା କିଚକେଶ୍ବରୀ ଭଲିବଲ ଏକାଡେମିରେ ଗୁରୁ ମନୋରଞ୍ଜନ ଜୀଉଙ୍କ ଠାରୁ ପ୍ରଶିକ୍ଷଣ ପାଇ ଓଡିଶା ଦଳରେ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି I ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଭଲିବଲ ସହ ସମ୍ପାଦକ ପାର୍ଥସାରଥୀ ସ୍ୱାଇଁ, ସହ ସମ୍ପାଦକ ଅମର କୁମାର ସେଠି, ଅଶୋକ ପଟ୍ଟନାୟକ, ବୈଦ୍ୟନାଥ ରଥ, ଅମ୍ବିକା ରାଉତ, ପ୍ରସନ୍ନଜିତ ମହାନ୍ତି, ବରିଷ୍ଠ ଖେଳାଳି ଭାନୁପ୍ରତାପ ଭଞ୍ଜଦେଓ ତଥା ମିଡ଼ିଆ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ I ମୟୁରଭଞ୍ଜ ଏଥଲେଟିକ ଆସୋସିଏସନର ପ୍ରୟାସରେ ସେ ଓଡିଶା ତରଫରୁ ଖେଳି ଜିଲ୍ଲା ପାଇଁ ଗୌରବ ଅଣିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଭଲିବଲର ବିକାଶ ପାଇଁ ବିଶେଷ ଧ୍ୟାନ ଦିଆଯିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଦାସ କହିଛନ୍ତି ।