ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା; ହତ୍ୟା ଅଭିଯୋଗ ଆଣିଲେ ବାପଘର
ରୂପସା : ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଜହତା କୂଳ ଗ୍ରାମରେ ଗୁରୁବାର ରାତିରେ ଜଣେ ମହିଳା ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ ଏହି ଗ୍ରାମର ବିଜୟ ନାୟକଙ୍କ ପତ୍ନୀ ହରପ୍ରିୟା (୨୨) ।
ଗୁରୁବାର ରାତିରେ ଖାଇ ସାରି ସମସ୍ତେ ଶୋଇଥିଲେ । ଶୁକ୍ରବାର ଭୋର ମହିଳା ଜଣକ ଘରେ ବେକରେ ଶାଢ଼ୀ ବାନ୍ଧି ଫାଶୀ ହୋଇଥିବାର ପରିବାର ଲୋକେ ଦେଖିଥିଲେ । ଖବର ପାଇ ମୃତ ମହିଳାଙ୍କ ବାପଘର ଓ ସମ୍ପର୍କୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ହରପ୍ରିୟାକୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ତାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଏସ୍ଆଇ ପୁମା ଦେଇ ଘଟଣାସ୍ଥଳରେ ପହଞ୍ôଚ ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଥିଲେ । ମାଜିଷ୍ଟ୍ରେଟ ଭାବେ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା ପରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ୨୦୧୮ ରେ ଏହି ଥାନା ଆଗୁରଗୋହିରା ଗ୍ରାମର ରାମଚନ୍ଦ୍ର ମନ୍ତ୍ରୀଙ୍କ ଏକ ମାତ୍ର କନ୍ୟା ହରପ୍ରିୟାଙ୍କ ସହ ବିଜୟଙ୍କର ବୈଦିକ ରୀତି ଅନୁଯାୟୀ ବିବାହ ହୋଇଥିଲା । ତାଙ୍କର ଜଣେ ୪ ବର୍ଷର ଶିଶୁକନ୍ୟା ଅଛି । ଏ ସମ୍ପର୍କରେ ପୋଲିସ ଏକ ମାମଲା ରୁଜୁ କରିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଇଆଇସି ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ।