ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ନିବେଦନ ! ବାଲୁକା କଳାରେ ‘ଷ୍ଟପ ୱାର’ ମେସେଜ ଦେଲେ ସୁଦର୍ଶନ ପଟ୍ଟନାୟକ
ପୁରୀ : ରୁଷ-ୟୁକ୍ରେନ ଯୁଦ୍ଧକୁ ଆଜି ନବମ ଦିନ । ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହର ଧ୍ୱଂସ ବିଧ୍ୱସ୍ତ ହୋଇଛି । ଏହି ନଅ ଦିନ ମଧ୍ୟରେ ୟୁକ୍ରେନର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି । ଏହାରି ମଧ୍ୟରେ ବାଲୁକା କଳା ମାଧ୍ୟମରେ ଯୁଦ୍ଧ ବନ୍ଦ କରିବାକୁ ନିବେଦନ । ପୁରୀ ବେଳାଭୂମୀରେ ‘ଷ୍ଟପ ୱାର’ ମେସେଜ ଦେଇ ଅପିଲ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତେବେ ୟୁକ୍ରେନରେ ଚାଲିଥିବା ସାମରିକ ଯୁଦ୍ଧ ଆଜି ନବମ ଦିନରେ ପହଂଚିଛି । ଅଷ୍ଟମ ଦିନରେ ଦ୍ୱିତୀୟ ପର୍ୟ୍ୟାୟ ଆଲୋଚନା ସତ୍ତ୍ୱେ କିଛି ଲାଭ ହୋଇନଥିଲା । ଏବେ ବି ୟୁକ୍ରେନରେ ଯୁଦ୍ଧ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦୁଇ ଦେଶକୁ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି ।
ଏହି ଯୁଦ୍ଧ ଦ୍ୱାରା କେବଳ ୟୁକ୍ରେନ କି ଋଷରେ ପ୍ରଭାବ ପଡୁଛି ତାହା ନୁହଁ । ଏହି ଯୁଦ୍ଧ ଆଗକୁ କେତେ ମାରାତ୍ମକ କେତେ ଭୟାନକ ହେବ ତାହା କେହି ଆକଳନ କରିପାରୁ ନାହାନ୍ତି । ଉଗ୍ର ରୂପ ନେଇ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି ଋଷ । ସେପଟେ ୟୁକ୍ରେନରେ ଏକ ସପ୍ତାହ ମଧ୍ୟରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡି ସାରିଲେଣି । ଅନ୍ୟପଟେ ଭାରତୀୟ ଛାତ୍ର ମଧ୍ୟ ୟୁକ୍ରେନରେ ଫସି ରହିଛନ୍ତି । ଯାହାଙ୍କୁ ରକ୍ଷା କରିବା ପାଇଁ ଭାରତ ସରକାର ଅପରେସନ ଗଙ୍ଗା ମିଶନ ଆରମ୍ଭ କରିଛନ୍ତି ।