ଦକ୍ଷତା ତାଲିମ ଅନୁଷ୍ଠାନ ପରିଦର୍ଶନ କଲେ ସୁବ୍ରତ ବାଗ୍ଚୀ
ଭୁବନେଶ୍ୱର : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଭୁବନେଶ୍ୱରସ୍ଥିତ ଟେକ୍ସ୍ୱର ମାନେଜମେଂଟ ସରଭିସେସ ପ୍ରାଇଭେଟ୍ ଲିମିଟେଡ୍ ସ୍କିଲ ପ୍ରଶିକ୍ଷଣ ସଂସ୍ଥା ପରିଦର୍ଶନରେ ଯାଇଥିଲେ । ଏଠାରେ ସଂକଳ୍ପ ଯୋଜନାରେ ଦକ୍ଷତା ତାଲିମ ନେଉଥିବା ଯୁବକଯୁବତୀଙ୍କ ସହ ସେ ଆଲୋଚନା କରିଥିଲେ । ଶ୍ରୀ ବାଗ୍ଚୀ ତାଲିମ ଅନୁଷ୍ଠାନର ଭିତିଭୂମି ଦେଖିବା ସହ ପ୍ରଦାନ କରାଯାଉଥିବା ତାଲିମ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ, ପିନାକୀ ପଟ୍ଟନାୟକ ଏବଂ ଟେକ୍ସ୍ୱର ମାନେଜମେଂଟ ସରଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶକ ଅଜିତ ନାରାୟଣ ମହାପାତ୍ର ଉପସ୍ଥିତ ଥିଲେ।
ସୂଚନା ଥାଉ କି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ଢେଙ୍କାନାଳ ଜିଲ୍ଲାର ୩୭ ଜଣ ଯୁବକଯୁବତୀ “ସଂକଳ୍ପ” ଯୋଜନାରେ ଏଠାରେ ସୁରକ୍ଷା ସେବା ପ୍ରଦାନ ତାଲିମ ନେଉଛନ୍ତି । ସଂକଳ୍ପ ଯୋଜନା ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟର ଜୀବିକା ପ୍ରୋତ୍ସାହନ ପାଇଁ ଦକ୍ଷତା ହାସଲ ଏବଂ ଜ୍ଞାନ ସଚେତନତା ପ୍ରଦାନ ଭିତିକ ଏକ କାର୍ଯ୍ୟକ୍ରମ ଅଟେ । ଏହା ମାଧ୍ୟମରେ ଗୁଣାତ୍ମକ ଏବଂ ପରିମାଣିକ ଭାବେ ଉନ୍ନତ ମାନର ସ୍ୱଳ୍ପ ମିଆଦି ଦକ୍ଷତା ତାଲିମ ପ୍ରଦାନ କରାଯାଇଥାଏ । ଉକ୍ତ ତାଲିମ ଗ୍ରହଣ ପରେ ତାଲିମପ୍ରାପ୍ତ ଯୁବକଯୁବତୀମାନେ ବିମାନ ବନ୍ଦର ଏବଂ ରେଲୱେ ଷ୍ଟେସନ୍ ଭଳି ଗୁରୁତ୍ୱପୂର୍ଣ୍ଣସ୍ଥାନରେ ସେବା ଯୋଗାଇବେ ।