ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରି ସଚିନ-ବିରାଟଙ୍କ ସ୍ପେଶାଲ କ୍ଲବରେ ସାମିଲ ହେଲେ ଗିଲ
ଅହମଦାବାଦ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚରେ ଓପନର ଶୁଭମନ ଗିଲ ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ଏହା ଗିଲରଙ୍କ ଦ୍ୱିତୀୟ ଶତକ । ଗିଲ ୧୨୮ ରନ କରି ନାଥାନ୍ ଲିୟନଙ୍କ ବଲରେ ଆଉଟ୍ ହୋଇଥିଲେ । ଏହା ପୂର୍ବରୁ ଗତ ବର୍ଷ ଡିସେମ୍ୱରରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଫେବ୍ରୁଆରୀରେ ଟି-୨୦ ଇଣ୍ଟରନ୍ୟାସନାଲରେ ଶତକ ହାସଲ କରିଥିଲେ । ଚଳିତ ବର୍ଷ ଜାନୁଆରୀରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆରେ ଶତକ ହାସଲ କରିଥିଲେ ।
ଏପରି ଶୁଭମନ ଗିଲ ୨୦୨୩ରେ ତିନୋଟି ଯାକ ଫର୍ମାଟରେ ଶତକ ହାସଲ କରିବାରେ ପ୍ରଥମ ବ୍ୟାଟର ହୋଇଛନ୍ତି । ସେହିପରି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସବୁ ଫର୍ମାଟରେ ଶତକ ମାରିବାରେ ଚତୁର୍ଥ ଭାରତୀୟ ବ୍ୟାଟର ହୋଇଛନ୍ତି । ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା, ସୁରେଶ ରାଇନା ଏବଂ କେଏଲ ରାହୁଲ ଏହି ରେକର୍ଡ ନିଜ ନାଁରେ କରିଥିଲେ ।
ଶୁଭମନ ଗିଲ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ମ୍ୟାଚର ପ୍ରଥମ ଇନିଂସରେ ୧୯୪ ବଲ ଖେଳି ୧୦୦ ରନ ପୂରଣ କରିଥିଲେ । ଏଥିରେ ସେ ୧୦ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ଟେଷ୍ଟରେ ଦ୍ୱିତୀୟ ଶତକ ହାସଲ ସହ ସଚିନ ଏବଂ କୋହଲିଙ୍କ ଏକ ଖାସ କ୍ଲବରେ ଗିଲ୍ ସାମିଲ ହୋଇଛନ୍ତି । ୨୩ ବର୍ଷ ବୟସରେ ସଚିନ ତେନ୍ଦୁଲକର ୨୨ ଶତକ ହାସଲ କରିଥିଲେ । ବିରାଟ କୋହଲି ୧୫ ଏବଂ ଏବେ ଗିଲ ୨୩ ବର୍ଷ ବୟସରେ ୭ ଶତକ ହାସଲ କରିଛନ୍ତି । ଏହି ସୂଚୀରେ ରବି ଶାସ୍ତ୍ରୀ ଏବଂ ଯୁବରାଜ ସିଂ ୭ ଶତକ ସହ ଅଛନ୍ତି ।