ପୁଣି ଫୁଲୁଛି ସୁବର୍ଣ୍ଣରେଖା : କ୍ରମାଗତ ବନ୍ୟା ଯୋଗୁଁ ଚିନ୍ତାରେ ଚାଷୀ କୂଳ
ବାଲେଶ୍ୱର : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଚାଷୀ କୂଳଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବିଶେଷ କରି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଲଘୁଚାପ ଯୋଗୁଁ ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଲାଗି ରହିଥିଲା । ଏହି କାରଣରୁ ବିଭିନ୍ନ ନଦୀରେ ପାଣି ବଢ଼ି ବନ୍ୟା ପରିସ୍ଥିତି ଉପୁଜିଛି । ଦୁଇଦିନ ଅବିଶ୍ରାନ୍ତ ବର୍ଷାରେ ଉତ୍ତରବାଲେଶ୍ୱର ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଲକରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଘନଘନ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ତଳି ଅଞ୍ଚଳ ଗାଁଗୁଡ଼ିକ ଅଦ୍ୟାବଧି ପାଣି ଘେରରେ ରହିଛି । ଭୋଗରାଇ-ବାଲିଆପାଳ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ । ଏବେବି ଭୋଗରାଇ, ବାଲିଆପାଳ ବ୍ଲକର ବହୁଗାଁ ଜଳବନ୍ଦୀ ରହିଥିବା ବେଳେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଗମନାଗମନ ବିଛିନ୍ନ ହୋଇଛି । ଡଙ୍ଗା ଏକମାତ୍ର ଭରସା ହୋଇଥିବା ବେଳେ ବହୁଗ୍ରାମ ସଡ଼କ ଉପରେ ୩ରୁ ୫ ଫୁଟ୍ ଉଚ୍ଚରେ ପାଣିର ଢ଼େଉ ଖେଳୁଛି ।
ଏହି ପରିପ୍ରେକ୍ଷୀରେ ଚାଷ ଜମିରୁ ବନ୍ୟା ଜଳ ଛାଡ଼ିବା ତିନିଦିନ ନପୁରୁଣୁ ଶୁକ୍ରବାର ଠାରୁ ପୁଣି ସୁବର୍ଣ୍ଣରେଖା ନଦୀର ଜଳସ୍ତର ଫୁଲିବାରେ ଲାଗିଛି । ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଶୁକ୍ରବାର ସକାଳ ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳ ପତ୍ତନ ୭.୮୦ ମିଟରରେ ପ୍ରବାହିତ ହୋଇ ଶନିବାର ଅପରାହ୍ନ ସୁଦ୍ଧା ଜଳ ପତ୍ତନ ଧୀରେ ଧୀରେ ବଢ଼ି ୯.୧୩ ମିଟରରେ ଜଳ ପ୍ରବାହିତ ହେଉଛି । ଯାହା ଫଳରେ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ବନ୍ୟା ଜଳ ପଶିବାରେ ଲାଗିଛି । କ୍ରମାଗତ ପୂର୍ବ ବନ୍ୟାରେ ପରିବା ଚାଷ ଏବଂ ଧାନ ଗଛ ଗୁଡ଼ିକ ପଚି ସଢ଼ି ନଷ୍ଟ ହୋଇ ଯାହା ବଞ୍ଚିଥିଲା ସେତକ ବି ହରାଇବାର ଚିନ୍ତାରେ ଚାଷୀ କୂଳ ହତାଶ ହୋଇ ପଡ଼ିଛି । ସରକାର ସୁବର୍ଣ୍ଣରେଖା ନଦୀବନ୍ଧ ପ୍ରତି ସୁଦୃଷ୍ଟି ଦେଇ ମୁକୁଳା ନଦୀ ବନ୍ଧକୁ ମଜବୁତ୍ କରିବା ସହିତ ପୋତି ଯାଉଥିବା ସୁବର୍ଣ୍ଣରେଖା ନଦୀ ମୁହାଣକୁ ଖନନ କରି ସୁଚାରୁ ରୂପେ ଜଳ ନିଷ୍କାସନ ବ୍ୟବସ୍ଥା କରି ପାରିଲେ ବାଲିଆପାଳ ବ୍ଲକର ପାଞ୍ଚ ପଞ୍ଚାୟତର ୨୦ରୁ ଅଧିକ ଗାଁ ବାଲିଆପାଳ, କୁଦ ମାନସିଂହ, ସୁଙ୍ଗମୂହଁ, ନୟାବାଲି, ବିଷ୍ଣୁପୁର, ରାଉତୁରାପୁର, ଇକଡପାଲ୍, କୁହ୍ଲାଚଡ, ତାଳପଦା, ଜାମକୁଣ୍ଡାପଞ୍ଚରୁଖି, ଚରବସ୍ତକାଲରୁଇ, ଚୌଧୁରୀକୁଦ, ଅସ୍ତି, ସୂର୍ଜାପୂର ଆଦି ଗ୍ରାମ ନଦୀରେ ସାମାନ୍ୟ ବନ୍ୟା ଆସିଲେ ଗାଁ ଗଣ୍ଡାରେ ବନ୍ୟା ଜଳ ପଶି ପାରନ୍ତା ନାହିଁ ବୋଲି ବାଲିଆପାଳ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସେହିପରି ସୁବର୍ଣ୍ଣରେଖା ଓ ଜଳକା ନଦୀର କ୍ରମାଗତ ବନ୍ୟା ଓ ଲଘୁଚାପ ଜନିତ ଲଗାଣ ବର୍ଷା ଉତ୍ତରବାଲେଶ୍ୱର ଉବୁଟୁବୁ ହୋଇଥିବା ବେଳେ ବହୁ ମାଟି କାନ୍ଥଘର ଭୁଶୁଡ଼ି ଧରାଶାୟୀ ହୋଇଛି । ବିପନ୍ନଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ପଲିଥିନ୍ ନ ଥିବାରୁ ରୋଷେଇ ଏକପ୍ରକାର ବନ୍ଦ ହୋଇ ଭୋକ ଉପାସରେ ଭାଗ୍ୟକୁ ଆଦରି ଦିନ କାଟିବାକୁ ପଡୁଛି । ତଳି ଅଞ୍ଚଳରେ ଧାନଚାଷ ପାଣି ପଚି ନଷ୍ଟ ହୋଇଥିବା ବେଳେ ପାନୀୟଜଳର ସଙ୍କଟ ଦେଖାଦେଇଛି । ଅନବରତ ବର୍ଷା ଓ ବନ୍ୟାରେ ଦୂଷିତ ଜଳପାନ କରି ବହୁ ଲୋକ ପେଟ ଜନିତ ଓ ସଂକ୍ରମଣ ରୋଗରେ ଆକ୍ରାନ୍ତ ହେଉଛନ୍ତି ।