ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କର ଛିଟା ! ନାବାଳିକା ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲର ଧମକ
ଉଦଳା : ଗୁରୁ ଏବଂ ଶିଷ୍ୟର ସମ୍ପର୍କରେ ଲାଗିଲା କଳଙ୍କ ଛିଟା । ବିଦ୍ୟାଳୟ ଭିତରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ବା ଅଶାଳୀନ ମନ୍ତବ୍ୟ ଦେବା ସହିତ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଦେଲେ ଧମକ । ତାହା ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ମେଟ୍ରୋନ୍ । ଏଭଳି ଘଟଣା ଘଟିଛି ଉଦଳା ଥାନା ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ । ଶାଳଖୁଂଟା ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ କିଛି ଦିନ ପାଇଁ ବିଦ୍ୟାଳୟ ଆସି ନଥିଲେ । ଯେବେ ସେ ବିଦ୍ୟାଳୟକୁ ଫେରିଥିଲେ ସେତେବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ରଜମୋହନ ମାଝୀ ଏବଂ ମେଟ୍ରୋନ୍ ଜୟନ୍ତୀ ପାତ୍ର ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିଲେ ।
ଏହା ସହିତ ଏ ବାବଦରେ ବାହାରେ କାହାକୁ ନ ଜଣାଇବାକୁ କହିବା ସହିତ ଯଦି ଛାତ୍ରୀ ଜଣକ ଏ ବାବଦରେ ବାହାରେ ଜଣାଏ ତେବେ ଛାତ୍ରୀ ଜଣକର ଅଶ୍ଳୀଳ ଫଟୋ ବା ଗାଧୋଇବା ସମୟର ଫଟୋ ଭାଇରାଲ କରିଦେବାର ଧମକ ଦେଇଥିଲେ ପ୍ରଧାନଶିକ୍ଷକ ଏବଂ ମେଟ୍ରୋନ୍ । ଯାହାକୁ ନେଇ ନାବାଳିକା ଛାତ୍ରୀର ପରିବାର ଲୋକେ ଏବେ ଉଦଳା ଥାନାରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଏ ବାବଦରେ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ ଗଣମାଧ୍ୟମକୁ କିଛି ପ୍ରତିକ୍ରିୟା ଦେବେ ନାହିଁ ବୋଲି କହିବା ସହିତ ଯାହା ପ୍ରତିକ୍ରିୟା ଦେବେ ତାଙ୍କ ଅଫିସ୍ରେ ଦେବେ ବୋଲି କହିଛନ୍ତି । ମେଟ୍ରୋନ୍ଙ୍କୁ ଏ ବାବଦରେ ପଚାରିବାରୁ ସେ ଗଣମାଧ୍ୟମ ଆଗରେ ହାତ ଯୋଡି ବାଇଟ୍ ଦେବେ ନାହିଁ ବୋଲି ଭୁଲ୍ ମାଗିଥିଲେ ।