ମୂର୍ତ୍ତି ଉଚ୍ଚତା ବିବାଦ : ଆବେଦନ ଖାରଜ
କଟକ : ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ବାଲୁବଜାର ପୂଜା କମିଟିର ଆବେଦନକୁ ଖାରଜ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଉଚ୍ଚ ନ୍ୟାୟାଳୟ ମନାକରିଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ କାଏମ ରଖିଲେ। ହାଇକୋର୍ଟ ପକ୍ଷରୁ କୁହାଯାଇଛି ଯେ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ୪ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ସରକାରଙ୍କ କୋଭିଡ ନିୟମାବଳୀରେ ହସ୍ତକ୍ଷେପ କରାଯାଇପାରିବ ନାହିଁ। ତେଣୁ ହାଇକୋର୍ଟ ପକ୍ଷରୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ନିଷ୍ପତ୍ତି ଏବେ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟରୁ ନିରାଶ ହୋଇଥିବା ବାଲୁବଜାର ପୂଜା କମିଟି ଆଗକୁ କ’ଣ କରିବ, ସେ ନେଇ କିଛି ଜଣା ପଡ଼ିନାହିଁ। ଏହି କମିଟି ଆଗକୁ ସୁପ୍ରିମକୋର୍ଟ ଯିବ କି ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ଯାହା ସୂଚନା ମିଳିଛି, ସରକାରଙ୍କ କୋଭିଡ୍ ନିୟମାବଳୀ ମୁତାବକ ଏଥର ଦୁର୍ଗା ପୂଜା ହେବ। ଅର୍ଥାତ୍ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖ ଦିନ ବାଲୁବଜାର ପୂଜା କମିଟି ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା। ୫୦୦ ବର୍ଷର ପୁରୁଣା ପରମ୍ପରା ଅନୁସାରେ ଏଠାରେ ମା ଦୁର୍ଗାଙ୍କ ୮ ଫୁଟ ଉଚ୍ଚର ମୂର୍ତ୍ତି ପୂଜା ପାଇଆସୁଛି। ଏଣୁ ସରକାରଙ୍କ ମୂର୍ତ୍ତି କଟକଣାକୁ ବାଲୁ ବଜାର ପୂଜା କମିଟି ବିରୋଧ କରି ୮ ଫୁଟ ମୂର୍ତ୍ତି ନିର୍ମାଣ ନେଇ ହାଇକୋର୍ଟରେ ଏକ ରିଟ ପିଟିସନ ଦାୟର କରିଥିଲା। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ଭିତରେ ୮ ଫୁଟ ମୂର୍ତ୍ତି ନିର୍ମାଣ କରି ପୂଜା ଆୟୋଜନ ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଗତକାଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି।