ରାଜ୍ୟର ପ୍ରଥମ: ଗୋପାଳପୁରରେ ହେବ ସମବାୟ ସେବା ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନ

ବ୍ରହ୍ମପୁର: ଏଣିକି ରାଜ୍ୟର ସମବାୟ ସେବା କ୍ଷେତ୍ରରେ ନିଯୁକ୍ତି ପାଉଥିବା ଅଧିକାରୀ ବା କର୍ମଚାରୀମାନେ ଆଉ ତାଲିମ ପାଇଁ ଅହମ୍ମଦାବାଦ ଯିବେନି। ବରଂ ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ହେବାକୁ ଯାଉଥିବା ରାଜ୍ୟର ପ୍ରଥମ ତଥା ଏକମାତ୍ର ସମବାୟ ଉନ୍ନୟନ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ତାଲିମ ଗ୍ରହଣ କରିବେ ପାକ୍ସ ସମ୍ପାଦକ, ଲାମ୍ପସ୍ ସମ୍ପାଦକ, ସମବାୟ ନିରୀକ୍ଷକ, ସମବାୟ ବ୍ୟାଙ୍କ୍ କର୍ମଚାରୀ ପ୍ରମୁଖ। ଗୋପାଳପୁରରେ ବର୍ତ୍ତମାନ ଥିବା ସେଣ୍ଟର୍ ଫର୍ କୋଅପରେଟିଭ୍ ମ୍ୟାନେଜମେଣ୍ଟ (ସିସିଏମ୍)କୁ ଉଚ୍ଛେଦ କରାଯାଇ ସେଠାରେ ପ୍ରତିଷ୍ଠା କରାଯିବ ଷ୍ଟେଟ୍ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ଫର୍ କୋଅପରେଟିଭ୍ ଡେଭଲପ୍ମେଣ୍ଟ। ଅହମ୍ମଦାବାଦସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଣ୍ଟ ସହ ଏ ନେଇ ରାଜ୍ୟ ସରକାରଙ୍କ ବୁଝାମଣା ହୋଇଛି। ଉକ୍ତ ସଂସ୍ଥା ସହଭାଗିତାରେ ଏହାର ପ୍ରତିଷ୍ଠା ତଥା ପରିଚାଳନା କରାଯିବ ବୋଲି ରାଜ୍ୟ ସମବାୟ ବିଭାଗ ବିଜ୍ଞପ୍ତି (ଚିଠି ସଂଖ୍ୟା ୬୭୮୨/ ୬.୬.୨୦୨୩) ପ୍ରକାଶ କରିଛି। ଏହି ପ୍ରତିଷ୍ଠାନ ସକାଶେ ୫୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍, ଶ୍ରେଣୀ କକ୍ଷ ନିର୍ମାଣ ସହ ଅତ୍ୟାଧୁନିକ ତାଲିମ ବ୍ୟବସ୍ଥା କରାଯିବ। ପୂର୍ତ୍ତ ବିଭାଗ ଡିପିଆର୍ ଦାଖଲ କରିବ। ବିଭାଗୀୟ ଅନୁମୋଦନ ପରେ କୋଠା ନିର୍ମାଣ ପାଇଁ ଟେଣ୍ଡର୍ ଆହ୍ଵାନ କରାଯିବ। ସେହିପରି ୪୧.୧୬ ଲକ୍ଷ ଟଙ୍କାରେ ବହି, କମ୍ପ୍ୟୁଟର୍, ଏଲସିଡି ପ୍ରୋଜେକ୍ଟର୍, ଲାପଟପ୍, ସାଉଣ୍ଡ୍ ସିଷ୍ଟମ୍, ପ୍ରିଣ୍ଟର୍, ଡିଜିଟାଲ୍ ଜେନେରେଟର୍ ଆଦି କିଣାଯିବ। ବ୍ରହ୍ମପୁର ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଖର୍ଚ୍ଚ ଆକଳନ କରି ସମବାୟ ନିବନ୍ଧକଙ୍କୁ ପଠାଇ ସାରିଛନ୍ତି।
ରାଜ୍ୟ ପ୍ରଶାସନିକ ସେବା, ପୋଲିସ ସେବା, ଅର୍ଥ ସେବା, ରାଜସ୍ବ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ବ୍ୟକ୍ତିବିଶେଷଙ୍କ ପ୍ରଶିକ୍ଷଣ ନିମନ୍ତେ ଓଡ଼ିଶାରେ ଭିନ୍ନ ଭିନ୍ନ ଏକାଡେମୀ ପ୍ରତିଷ୍ଠା କରାଯାଇଛି। ଏବେ ରାଜ୍ୟ ସମବାୟ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ଆଶାୟୀଙ୍କ ପାଇଁ ନିଜ ରାଜ୍ୟରେ ହିଁ ତାଲିମ ବ୍ୟବସ୍ଥା ବିକଶିତ କରାଯିବ। ୧୯୬୨ ମସିହାରେ ଗୋପାଳପୁର ଠାରେ ରାଜ୍ୟ ସରକାରଙ୍କ ୨୨ ଏକର ଜମିରେ ରାଜ୍ୟ ସମବାୟ ସଂଘ ଦ୍ଵାରା ସିସିଏମ୍ ସ୍ଥାପନ କରାଯାଇଥିଲା। ତେବେ ସଂଘର ୧୧ ଏକର ଜମିରେ ଗୋପାଳପୁର ଆଧୁନିକ ବସ୍ଷ୍ଟାଣ୍ଡ, ମିନି ଷ୍ଟାଡିୟମ୍ ଓ ପିଡବ୍ଲ୍ୟୁଡି ଅଫିସ୍ କରାଯିବା ପରେ ଏବେ ବଳକା ୧୧ ଏକର ଜମିରେ ରାଜ୍ୟ ସମବାୟ ଉନ୍ନୟନ ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ କରାଯିବାକୁ ପଦକ୍ଷେପ ତ୍ଵରାନ୍ଵିତ କରାଯାଉଛି। ସମବାୟ ସେବା ପ୍ରଶିକ୍ଷଣର ଗୁରୁତ୍ଵକୁ ଉପଲବ୍ଧି କରି ରାଜ୍ୟ ସରକାର ଗୋପାଳପୁରସ୍ଥିତ ସିସିଏମ୍କୁ ରାଜ୍ୟ ସମବାୟ ଉନ୍ନୟନ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ପରିଣତ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଅହମ୍ମଦାବାଦସ୍ଥିତ ଜାତୀୟ ପ୍ରତିଷ୍ଠାନ ଢାଞ୍ଚାରେ ଆମ ରାଜ୍ୟରେ ଅତ୍ୟାଧୁନିକ କୋଠା ଓ ସମ୍ମିଳନୀ କକ୍ଷ ନିର୍ମାଣ, ମାନବ ସମ୍ବଳ ନିୟୋଜନ, ପ୍ରଶିକ୍ଷଣ ବ୍ୟବସ୍ଥା ବିକଶିତ କରାଯିବାକୁ ଯୋଜନା ରହିଛି।