ଶିଶୁ ହିଂସା ରୋକିବାପାଇଁ ପାଇଁ ସିଏସଓମାନଙ୍କ ସହିତ ରାଜ୍ୟସ୍ତରୀୟ ଆଲୋଚନା
୩୦ ଜିଲ୍ଲାରୁ ଶତାଧିକ ସଂଗଠନଙ୍କ ଯୋଗଦାନ
ଭୁବନେଶ୍ୱର : ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ହିଂସାକୁ ରୋକିବାପାଇଁ ଏଠାରେ ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ ଫର ଏନଣ୍ଡିଂ ଭାଇଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନଏସିଜି ଇଭିଏସି) ଇଣ୍ଡିଆ, ସ୍ୱେଚ୍ଛାସେବୀ ସଂଗଠନ ପିକକ, ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଏବଂ ଡବ୍ଲ୍ୟୁଭିଆଇ ଓ ବିଏମଜେଡର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ସିଭିଲ୍ ସୋସାଇଟି ସଂଗଠନ ଏବଂ ହିତାଧିକାରୀଙ୍କ କର୍ମଶାଳା ଆୟୋଜିତ ହୋଇଛି । ଏନଏସିଜି-ଇଭିଏସି ଇଣ୍ଡିଆର ରାଜ୍ୟ ସଂଯୋଜକ ପ୍ରକାଶ ରଥ ସ୍ୱାଗତ ଭାଷଣ ଦେଇଥିବାବେଳେ ଏନଏସିଜି-ଇଭିଏସିର ଜାତୀୟ ଅଧ୍ୟକ୍ଷ ରଞ୍ଜନ ମହାନ୍ତି ମୁଖ୍ୟ ଅଭିଭାଷଣ ପ୍ରଦାନ କରିଥିଲେ । ସେ ଏନ୍ଏସିଜି ଇଣ୍ଡିଆର ଲକ୍ଷ୍ୟ ଏବଂ ଶିଶୁମାନଙ୍କ ପ୍ରତି ହିଂସାକୁ ବିଲୋପ କରିବା ପାଇଁ ସାଉଥ ଏସିଆନ ଇନିସିଏଟିଭ ଟୁ ଏଣ୍ଡ ଭାଇଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ସାଇଭାକ) ସହିତ ଏହାର ସହଯୋଗ ବିଷୟରେ ସୂଚନା ଦେଇଥିଲେ । ପିଲାମାନଙ୍କର ନିରାପତା ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଦିଗରେ ପିତାମାତା ଏବଂ ବ୍ୟକ୍ତିମାନଙ୍କର କର୍ତବ୍ୟ ଏବଂ ଦାୟିତ୍ୱ ଉପରେ ସେ ନିଜର ମତ ଉପସ୍ଥାପନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଶିଶୁ ଯୌନ ହିଂସ।।ର ବିଲୋପ ଓ ଆଇନର କାର୍ଯ୍ୟକାରିତା ଉପରେ ମତ ରଖିଥିଲେ । ସେ ମଧ୍ୟ ନଭେମ୍ବର ୧ ରୁ ଆରମ୍ଭ ହୋଇ ୧୦ ଡିସେମ୍ବରରେ ଶେଷ ହେବାକୁ ଥିବା ୪୦ ଦିନିଆ ଶିଶୁ ଅଧିକାର ଅଭିଯାନ ଉପରେ ଆଲୋକପାତ କରିଥିଲେ ଏବଂ ବ୍ୟାପକ ସଚେତନତା ଅଭିଯାନ ମାଧ୍ୟମରେ ଏହାକୁ ସମର୍ଥନ କରିବାକୁ ସମସ୍ତ ସିଏସଓ ମାନଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଏସସିପିସିଆର ସଦସ୍ୟ ଦିବ୍ୟା ଶାଶ୍ୱତୀ, ପୂର୍ବତନ ସଦସ୍ୟ ହରିହର ନାୟକ, ଆଇନଜୀବୀ ବିଶେଶ୍ୱରୀ ମହାନ୍ତି, ଓଏସସିପିସିଆରର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ଓଏସସିପିଏସର ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ପିକକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ପକସୋ ଆଇନ ଏବଂ କିଶୋର ସୁରକ୍ଷା ଓ ଯତ୍ନ ଆଇନ, ଅନଲାଇନ୍ ନିରାପତା, ସିଏସଓଙ୍କ ଭୂମିକା, ଶିଶୁ ଅନୁକୂଳ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଓଡିଶାର ସମସ୍ତ ୩୦ ଟି ଜିଲ୍ଲାରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ସିଏସଓ ଅଂଶଗ୍ରହଣ କରିଥିଲେ ଏବଂ ଶିଶୁ ଯୌନ ହିଂସାକୁ କିପରି ଦୂର କରାଯାଇପାରିବ ସେ ସମ୍ବନ୍ଧରେ ବିଭିନ୍ନ ଦିଗ ଉପରେ ପରାମର୍ଶ ଓ ବିଚାର ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପିକକର ଧର୍ମାନନ୍ଦ ସୁନ୍ଦରରାୟ, ସତ୍ୟଜିତ ମହାପାତ୍ର ଓ ସତ୍ୟସୁନ୍ଦର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।