ଶ୍ରମିକଙ୍କ ମଜୁରୀ ବଢ଼ାଇଲେ ରାଜ୍ୟ ସରକାର : ମହଙ୍ଗା ଭତା ୧୧ ଟଙ୍କା ଲେଖାଏଁ ବୃଦ୍ଧି
ଭୁବନେଶ୍ୱର : ଶ୍ରମିକ ଦିବସ ପୂର୍ବରୁ ସବୁ ବର୍ଗର ଶ୍ରମିକଙ୍କ ମଜୁରୀ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସବୁ ବର୍ଗର ଶ୍ରମିକମାନଙ୍କୁ ଦୈନିକ ୧୧ଟଙ୍କାର ମହଙ୍ଗା ଭତା ଦେବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ୨୦୨୨ ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହା କାର୍ଯ୍ୟକାରୀ ହେବ । ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି ।
ବର୍ଦ୍ଧିତ ଭତା ଲାଗୁ ହେବା ଫଳରେ ଅଣକୁଶଳୀ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ୩୧୫ଟଙ୍କା ପରିବର୍ତେ ୩୨୬ଟଙ୍କା ପାଇବେ । ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୫ଟଙ୍କାରୁ ୩୬୬ଟଙ୍କାକୁ, କୁଶଳୀ ଶ୍ରମିକଙ୍କ ମଜୁରୀ ୪୦୫ଟଙ୍କାରୁ ୪୧୬ଟଙ୍କାକୁ ଓ ଉଚ୍ଚ କୁଶଳୀ ଶ୍ରମିକଙ୍କ ମଜୁରୀ ୪୬୫ଟଙ୍କାରୁ ୪୭୬ଟଙ୍କାକୁ ବୃଦ୍ଧି ପାଇଛି । ରାଜ୍ୟର ମୋଟ ୮୯ଟି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ନିମନ୍ତେ ଏହି ବର୍ଦ୍ଧିତ ମଜୁରୀ ଲାଗୁ ହେବ । ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡର ସୁପାରିଶ୍ ଆଧାରରେ ଖାଉଟି ଦର ଇଣ୍ଡେକ୍ସକୁ ଦୃଷ୍ଟିରେ ରଖି ସବୁ ବର୍ଗର ଶ୍ରମିକମାନଙ୍କ ପାଇଁ ବର୍ଷକୁ ୨ଥର ସ୍ୱତନ୍ତ୍ର ଭତା ବୃଦ୍ଧିର ପ୍ରାବଧାନ ରହିଛି । ଏହି ସୁପାରିଶ ଅନ୍ତର୍ଗତ ରାଜ୍ୟ ଶ୍ରମ କମିଶନର ଏନ୍. ଥିରୁମାଳା ନାଏକଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁସାରେ, ଶ୍ରମିକମାନଙ୍କ ସ୍ୱତନ୍ତ୍ର ଭତା (ପରିବର୍ତିତ ମହଙ୍ଗା ଭତା -ଭିଡିଏ)ରେ ଦୈନିକ ୧୧ଟଙ୍କା ବୃଦ୍ଧି କରାଯାଇଛି । ଏହା ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସବୁ ବର୍ଗର ଶ୍ରମିକଙ୍କ ନିମନ୍ତେ ଲାଗୁ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।