ବାଣ ଫୁଟାକୁ ନେଇ ନୂଆ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ୱର : ଆସନ୍ତା ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଏକ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର । ହାଇକୋର୍ଟଙ୍କ ରାୟ ପରେ ଦୀପାବଳିରେ ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହିତ ବାଣ ବିକ୍ରି ଓ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶନାମାର ଉଲ୍ଲଘଂନ ହେଲେ ସମ୍ପୃକ୍ତ ଅଂଚଳର ପ୍ରଶାସନିକ ଅଫିସର ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ସତର୍କ କରାଇ ଦେଇଛନ୍ତି । ଦୀପାବଳି ଅର୍ଥାତ ନଭେମ୍ବର ୪ତାରିଖ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯିବ । ଏହାପରେ ବାଣ ଫୁଟାଇଲେ ଆଇନତଃ ଦଣ୍ଡନୀୟ ହେବେ ।
ନୂଆ ନିୟମ ଅନୁସାରେ ଦୀପାବଳିରେ କେବଳ ପରିବେଶ ଅନୁକୂଳ ବାଣ ବା ଗ୍ରୀନ କ୍ରାକରକୁ ଅନୁମତି ଦିଆଯାଇଛି । ବାଣ ଫୁଟାକୁ ନେଇ ଗତ ଅକ୍ଟୋବର ୩୦ରେ ସୁପ୍ରିମ କୋର୍ଟ ଓ ଆଜି ଓଡ଼ିଶା ହାଇକୋର୍ଟଙ୍କ ରାୟ ଆସିବା ପରେ ରାଜ୍ୟ ସରକାର ଏହି ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି । ଆଜି ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରି କରି କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦେଇଛନ୍ତି । କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେଲୋ) ଅନୁମତିପ୍ରାପ୍ତ ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଦୀପାବଳି ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି । କେବଳ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସଂଗଠନ (ପେସୋ) ଅନୁମୋଦିତ ଗ୍ରୀନ କ୍ରାକର ଫୁଟାଇବାକୁ ଅନୁମତି ଦିଆଯାଇଛି । ଅନ୍ୟପ୍ରକାରର ବାଣର ବିକ୍ରି ଓ ଫୁଟାଇବାକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । କେବଳ ପେସୋ ଦ୍ବାରା ପ୍ରମାଣପତ୍ର ପାଇଥିବା ଡିଲର ହିଁ ବାଣ ବିକ୍ରି କରିପାରିବେ । ଭାରତୀୟ ବିସ୍ଫୋରକ ଆଇନ ଅଧିନରେ ଉପଯୁକ୍ତ ଅଧିକାରୀଙ୍କଠାରୁ ଅନୁମତିପ୍ରାପ୍ତ ଖୁଚୁରା ବ୍ୟବସାୟୀମାନେ ହିଁ ବାଣ ଦୋକାନ ଖୋଲିପାରିବେ । ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ସ୍ଥାନରେ ହିଁ ବାଣ ଦୋକାନ ଖୋଲାଯାଇପାରିବ । ସେଠାରେ କୋଭିଡ୍ କଟକଣା ପାଳନ କରାଯିବ ।