ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଆଗତ ହେବ ବଜେଟ୍
ପୁରୀ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମିଟିଂରେ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ଅଟକଳ ଆଗତ କରାଯିବ।
ତାପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିଲା ଅର୍ଥ ସବ୍- କମିଟି ବୈଠକ l ଏଥର ଶ୍ରୀମନ୍ଦିର ପାଇଁ ୩୮୬ କୋଟି ଟଙ୍କାର ବଜେଟ୍ ସ୍ଥିର ହୋଇଛି। ତା’ସହ ଆଗାମୀ ଦିନରେ ଭକ୍ତମାନେ ଯେପରି ଗୋଲ୍ଡ ବଣ୍ଡ କିଣି ପାରିବେ ସେ ନେଇ ବି ବ୍ୟବସ୍ଥା କରିବାକୁ ଆଜି ପରିଚାଳନା କମିଟି ବୈଠକରେ ଆଲୋଚନା ହେବ। ଏଥିସହ ମହାପ୍ରଭୁଙ୍କ ପାଇଁ ନୂଆ ଅଳଙ୍କାର ସେଟ୍ ତିଆରି କଥା ଉଠିବ। ଏହାଛଡ଼ା ରତ୍ନଭଣ୍ଡାର ମୁଖ୍ୟ ଦ୍ୱାର ରୂପାରେ ତିଆରି କରିବା, ପ୍ରତି ଜିଲ୍ଲାର ସଦର ମହକୁମାରେ ହୁଣ୍ଡି ସ୍ଥାପନ ନେଇ ଆଲୋଚନା ହେବ। ତାସହ ଗତ ରଥଯାତ୍ରାବେଳେ ଆଡପ ପହଣ୍ଡି ବିଭ୍ରାଟ ଘଟଣାରେ ୩ ଜଣିଆ ତଦନ୍ତ କମିଟି ଦେଇଥିବା ରିପୋର୍ଟ ବି ଆଜି ମ୍ୟାନେଜିଂ କମିଟିରେ ଉପସ୍ଥାପନ କରାଯିବ।
ସୂଚନା ଯେ, ଶ୍ରୀମନ୍ଦିର ନିମନ୍ତେ ଚଳିତ ଆର୍ଥିକ ବର୍ଷ (୨୦୨୪-୨୫) ପାଇଁ ୩୮୬ କୋଟି ଟଙ୍କାର ଆୟବ୍ୟୟ ବଜେଟ ପ୍ରସ୍ତୁତ ହୋଇଛି । ଯେଉଁଥିରେ ରାଜସ୍ୱ ଆୟ ୨୭୫ କୋଟି ୮୩ ଲକ୍ଷ ୯୯ ହଜାର ଟଙ୍କା ଥିବା ବେଳେ ଖର୍ଚ୍ଚ ୧୯୧ କୋଟି ୩ ଲକ୍ଷ ୭୦ ହଜାର ଟଙ୍କା ରହିଛି । ଏଥିରେ ରାଜସ୍ୱ ବଳକା ୮୩ କୋଟି ୮୦ ଲକ୍ଷ ୨୯ ହଜାର ଟଙ୍କା ରହିଛି । ବଜେଟ ଏଷ୍ଟିମେଟ୍ କ୍ୟାପିଟାଲ ୧୧୦ କୋଟି ୧୬ ଲକ୍ଷ ୯୦ ହଜାର ଟଙ୍କା ହୋଇଥିବା ବେଳେ ବ୍ୟୟ ୧୧୭ କୋଟି ୫୦ ଲକ୍ଷ ୭୮ ହଜାର ଟଙ୍କା ରହିଛି । ସବୁ ମିଶାଇଲେ ୭୭ କୋଟି ୨୧ ଲକ୍ଷ ୪୧ ହଜାର ଟଙ୍କା ରାଜସ୍ୱ ବଳକା ହେଉଛି । ଗୁରୁବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଅର୍ଥ ସବ୍କମିଟି ବୈଠକରେ ଏନେଇ ଆଲୋଚନା ପରେ ପରିଚାଳନା କମିଟିରେ ବଜେଟକୁ ଉପସ୍ଥାପିତ କରିବାକୁ ସୁପାରିସ ହୋଇଛି । ବୈଠକରେ ୨୦୨୧-୨୨ର ଆକାଉଣ୍ଟ ଅଡିଟ୍ ଉପସ୍ଥାପିତ ହୋଇଥିଲା । ଯାହାକୁ ମଞ୍ଜୁର କରାଯାଇଛି । ଶୁକ୍ରବାର ଏହାକୁ ପରିଚାଳନା କମିଟିରେ ଉପସ୍ଥାପିତ କରାଯିବ ବୋଲି ସୂଚନା ମିଳିଛି ।