ଶ୍ରୀଜୀଉଙ୍କ ବନକଲାଗି ନୀତି ସମ୍ପନ୍ନ
ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର ଅର୍ଥାତ୍ ବନକଲାଗି ନୀତି ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଧୂପ ପରେ ଏହି ଗୁପ୍ତ ସେବା ଆରମ୍ଭ ହୋଇଥିଲା । ଏଥିପାଇଁ ଅପରାହ୍ନ ୫ଟାରେ ବନକ ଲାଗି ପାଇଁ ଦତ ସେବକ ମାନେ ଗର୍ଭ ଗୃହରେ ପ୍ରବେଶ କରିଥିଲେ । ରାତି ୮ଟା ପରେ ବନକ ଲାଗି ସମ୍ପନ୍ନ ହୋଇଥିଲା । ପରେ ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ମହାସ୍ନାନ ପରେ ଭକ୍ତ ମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ।
ବନକଲାଗି ନୀତିର ବିଧି ଅନୁସାରେ, ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ପରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ୱାରା ବନକଲାଗି ବିଧି ଗୁପ୍ତସେବା ସମ୍ପାଦନ କରାଯାଇଥାଏ। ତେବେ ଶ୍ରୀଜୀଉଙ୍କର ଶ୍ରୀମୁଖ ସିଂହାର ପାଇଁ ହିଙ୍ଗୁଳ, ଶଂଖ, କେଶର, କଇଁଥ, ଅଠା, କର୍ପୂର, କଜ୍ୱଳ, କସ୍ତୁରୀ, ହରିତାଳ ଓ ତେଲର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ବନକକୁ ବ୍ୟବହାର କରାଯାଇଥାଏ । ଏହି ବିଶେଷ ନୀତି ସପ୍ତାହର ବୁଧବାର କିମ୍ବା ଗୁରୁବାର ଦିନ ସମ୍ପାଦନ କରାଯାଇଥାଏ । ଏହି ପ୍ରାକୃତିକ ପ୍ରଣାଳୀରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଅପରାହ୍ନରେ ୪ଘଣ୍ଟା ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥାଏ । ବନକଲାଗି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଏ। ମହାସ୍ନାନ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି ।