ଶ୍ରୀଜୀଉଙ୍କୁ ଲାଗିହେଲା ଅଧର ପଣା
ପୁରୀ : ରଥ ଉପରେ ସୋମବାର ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ରଥ ଉପରେ ମଧ୍ୟାହ୍ନ ଧୂପ ପରେ ଅଧର ପଣା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପ୍ରତି ରଥ ଉପରେ ପିତଳ ହଣ୍ଡାରେ ପାଣିଆ ଆପଟ୍ଟ ମାନେ ସିଂହଦ୍ୱାରରେ ଥିବା ଛାଉଣି ମଠ ସମ୍ମୁଖ କୂଅରୁ ପାଣି ଆଣି ହଣ୍ଡାରେ ଭର୍ତି କରିଥିଲେ । ସେଥିରେ କ୍ଷୀର, ସର, ଚିନି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, ଅଳେଇଚ ଗୁଣ୍ଡ, କର୍ପୁର ଓ ଜାଇଫଳ ମିଶ୍ରଣ କରି ପଣା ପ୍ରସ୍ତୁତ କରାଯାଇଥିଲା । ସେହି ପଣାକୁ ପ୍ରତି ରଥରେ ରଖାଯାଇଥିବା ତିନୋଟି ଲେଖାଏଁ ଅଧର ଚୁମ୍ବି ତୁମ୍ବାକୃତି ମାଟି ପାତ୍ରରେ ରଖାଯାଇଥିଲା । ପୂଜାପଣ୍ଡା ସେବକ ପଂଚ ଉପଚାରରେ ମନ୍ତ୍ର ଉଚ୍ଚାରଣ କରି ଶ୍ରୀଜୀଉଙ୍କୁ ପଣା ଭୋଗ ଅର୍ପଣ କରିଥିଲେ । ଭୋଗ ପରେ ରଥରେ ଥିବା ପାଶ୍ୱର୍ ଦେବାଦେବୀ, ଚଣ୍ଡୀଚାମୁଣ୍ଡା, ଅଶରୀରୀ, ଭୂତ, ପ୍ରେତ, ପିଶାଚ ମାନଙ୍କ ଉଦ୍ଦେଶ୍ୟରେ ରଥ ଉପରେ ପଣା ହାଣ୍ଡି ଭଙ୍ଗାଯାଇଥିଲା । ଏହି ନୀତି ଅପରାହ୍ନ ୫ ଟା ପରେ ଆରମ୍ଭ ହୋଇ ରାତି ପ୍ରାୟ ୯ଟା ସୁଦ୍ଧା ଶେଷ ହୋଇଛି । ରାଘବ ଦାସ ମଠ, ବଡ ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ଏହି ପଣା ପ୍ରସ୍ତୁତ କରାଯାଇଥିଲା । ଆଜି ନିଳାଦ୍ରୀ ବିଜେ କରିବେ ଚତୁର୍ଦ୍ଧାମୂର୍ତି । ୧୩ ତାରିଖ ଠାରୁ ଶ୍ରଦ୍ଧାଳୁ ମାନେ ଶ୍ରୀକ୍ଷେତ୍ର ଅବଢ଼ା ପାଇପାରିବେ ।
ନବଦିନାତ୍ମକ ଯାତ୍ରା ଶେଷ କରି ମହାପ୍ରଭୁ ବାହୁଡି ଆସିଛନ୍ତି । ସିଂହଦ୍ୱାରା ନିକଟରେ ସୁନାବେଶରେ ରଥ ଉପରୁ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇ ସାରିଛନ୍ତି ମହାପ୍ରଭୁ । ଆଜି ରଥ ଉପରେ ଚତୁର୍ଦ୍ଧାମୂର୍ତିଙ୍କୁ ଅଧରପଣା ଭୋଗ କରାଯାଇଛି । ମଧ୍ୟାହ୍ନଧୂପ ପରେ ଶ୍ରୀଜୀଉଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ତିନୋଟି ଲେଖାଏଁ ମାଟିହାଣ୍ଡି ତିନିରଥରେ ରଖାଯାଇଥିଲା । ମହାସୁଆର ସେବକ ସେଥିରେ କ୍ଷୀର, ସର, ଛାଚି, କଦଳୀ, ଛେନା, ଗୋଲମରିଚଗୁଣ୍ଡ, କର୍ପୂର ଏବଂ ଜାଇଫଳ ପକାଇଥିଲେ । ପାଣିଆ ଆପଟଙ୍କ ଦ୍ୱାରା ଛାଉଣିମଠ କୂଅରୁ ଗରାରେ ପାଣି ଅଣାଯାଇ ଅଧରହାଣ୍ଡିରେ ଯୋଗାଯାଇ ଥିଲା । ମହାସୁଆର ଅଧରପଣା ପ୍ରସ୍ତୁତ କରିଥିଲେ । ପତ୍ରିବଡୁ, ସୁଆରବଡୁ ଓ ଗରାବଡୁ ପୂଜା ପାଠ କରିଥିଲେ । ପୂଜାପଣ୍ଡା ସେବକଙ୍କ ଦ୍ୱାରା ପଂଚୋପଚାରରେ ମହାପ୍ରଭୁଙ୍କୁ ପଣାଭୋଗ କରାଯାଇଥିଲା । ରଥ ଚତୁଃପାର୍ଶ୍ୱ ଦେବଦେବୀଙ୍କ ସମେତ ଚଣ୍ଡୀଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଅଧରହାଣ୍ଡି ଭଙ୍ଗା ଯାଇଥିଲା । ଅଧରପଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ ବଡଓଡ଼ିଆ ମଠ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେଇଥିଲେ । ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ରଥଉପର ପରିଷ୍କାର କରାଯାଇ ଥିଲା । ମହାପ୍ରଭୁ ମହାସ୍ନାନ ହୋଇଥିଲେ । ପୁଣିଥରେ ଶ୍ରୀଜୀଉଙ୍କୁ ବେଶ କରାଯାଇଥିଲା । ଏହାପରେ ସନ୍ଧ୍ୟା ଆଳତି, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଅନୁଷ୍ଠିତ ହୋଇଥିଲା । ଗରୁଡଶୟନ ନୀତି ପରେ ମହାପ୍ରଭୁଙ୍କୁ ରାତ୍ରପହୁଡ କରାଯାଇଛି । ରଥଉପରେ ଅଧରପଣା ଭୋଗ ନୀତି ପ୍ରାୟ ୫୦୦ବର୍ଷର ପୁରୁଣା ବୋଲି ଗବେଷକ ମତ ଦିଅନ୍ତି । ଶ୍ରୀମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ବାହୁଡା ଦଶମୀ ଦିନ ସିଂହଦ୍ୱାର ସମ୍ମୁଖରେ ତିନିରଥ ପହଂଚିବା ପରେ ପ୍ରଭୁଙ୍କୁ ଅଧରପଣା ଭୋଗ କରାଯିବା କଥା । ପୂର୍ବରୁ ଏହି ନୀତି କିଛିବର୍ଷ ଏକାଦଶୀ ତିଥିରେ ହୋଇଥିବା ଜଣାପଡେ । ବାହୁଡାଯାତ୍ରା ଦିନ ସମୟ ଅଭାବରୁ ଦ୍ୱାଦଶୀରେ ପ୍ରଭୁଙ୍କୁ ଅଧରପଣା ଅର୍ପଣ କରାଯାଉଛି । କୁମ୍ଭାରପଡାର ପାରମ୍ପରିକ କୁମ୍ଭକାରମାନେ ଅଧରହାଣ୍ଡି ପ୍ରସ୍ତୁତ କରନ୍ତି । ଘୋଷଯାତ୍ରା ଶେଷକରି ମଙ୍ଗଳବାର ନୀଳାଦ୍ରି ବିଜେ କରିବେ ଦାରୁବ୍ରହ୍ମ । ରଥଉପରୁ ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିବେ । ସନ୍ଧ୍ୟା ୬ଟା ୩୦ରେ ପହଣ୍ଡି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଘଂଟ, ଘଂଟା, କାହାଳି ଓ ମୃଦଙ୍ଗର ତାଳରେ ତାଳ ମିଳାଇ ଝୁଲି ଝୁଲି ନୀଳକନ୍ଦରକୁ ଯିବେ ନୀଳାଦ୍ରିନାଥ । ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରାଇବେ । ଋକ୍ମିଣୀ ବିବାହ ସମୟର ଗଇଁଠାଳ ଫିଟାଯିବ ।