ଭିଜିଲାନ୍ସ ଜାଲରେ କ୍ରୀଡ଼ା ଶିକ୍ଷକ, ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ଚଢ଼ାଉ
ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କ୍ରୀଡ଼ା ଶିକ୍ଷକ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଶିକ୍ଷକ ଶ୍ରୀ ସାହୁଙ୍କ ୧୧ଟି ଠିକଣାରେ ଏକକାଳୀନ ଚଢ଼ାଉ ହୋଇଛି । ବ୍ରହ୍ମପୁର ଅନନ୍ତନଗର ସ୍ଥିତ ବାସଭବନ, ପେଟ୍ରୋଲ ପମ୍ପ, ଗ୍ୟାସ୍ ଗୋଦାମ ଓ ଜୟନ୍ତୀପୁର ସ୍ଥିତ ନିଜ ପୈତୃକ ବାସଭବନରେ ଚଢ଼ାଉ ଜାରି ରହିଛି । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
ଏହି ଚଢାଉ ଆରମ୍ଭ କରୁ କରୁ ମାତ୍ର କିଛି ଘଣ୍ଟା ମଧ୍ୟ ଭିଜିଲାନ୍ସ ଅଧିକାରୀ ଆଖି ଖୋସିହେଲା ପରି ସମ୍ପତ୍ତି ଠାବ କରିସାରିଲେଣି। ଜନାର୍ଦ୍ଦନଙ୍କର ବ୍ରହ୍ମପୁର ଅନନ୍ତନଗର ଲେନ୍ ନଂ୧ରେ ଏକ ୩ ମହଲା ବିଶିଷ୍ଟ କୋଠା ଥିବା ବେଳେ ତାହାର ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ୱ ହେବ । ଏହି ଘରେ ଚଢ଼ାଉ ବେଳେ ନଗଦ ୫୦ ହଜାର ଟଙ୍କା, ୧୦୦ ଗ୍ରାମ ସୁନାଗହଣା ଆଦି ଜବତ ହୋଇଛି। ଏହାବାଦ ୧୦ରୁ ଊର୍ଦ୍ଧ୍ୱ ପ୍ଲଟର କାଗଜ ପତ୍ର ମିଳିଥିବା ବେଳେ ବହୁ ଇନସ୍ୟୁରାନ୍ସ କାଗଜ ମଧ୍ୟ ଜବତ ହୋଇଥିବା ଜଣାଯାଇଛି। ଅନନ୍ତନଗର ଲେନ୍ ନଂ-୩ରେ ଜନାର୍ଦ୍ଦନଙ୍କର ଏକ ଘର ଥିବା ବେଳେ ସେଠାରେ ଭଡ଼ାରେ ହଷ୍ଟେଲ ଚାଲୁଛି। ଜୟନ୍ତପୁରରେ ପୈତୃକ ଘର, ଅଫିସ, ପେଟ୍ରୋଲ ପମ୍ପ, ମଦ ଭାଟି, ଗ୍ୟାସ ଗୋଦାମ ରହିଛି। ଏହି ସବୁ ସ୍ଥାନରେ ବି ରେଡ କରୁଛନ୍ତି ଭିଜିଲାନ୍ସ ଅଧିକାରୀ। ଜଣେ ସରକାରୀ ଶିକ୍ଷକ କିପରି ଏତେ ପରିମାଣର ସମ୍ପତ୍ତି ଠାବ କରିପାରିଲେ ତାହା ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି। ତେବେ ସେ ଶାସକ ଦଳକୁ ସମର୍ଥନ କରୁଥିବାରୁ ବିରୋଧୀ ଦଳ ଷଡ଼ଯନ୍ତ୍ର କରି ଏଭଳି କରାଇଥିବା କହିଛନ୍ତି ଜନାର୍ଦ୍ଦନ ସାହୁ।