ଟୋକିଓ ପାରାଅଲିମ୍ପିକ୍ସ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର
ନୂଆଦିଲ୍ଲୀ : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ନୂଆଦିଲ୍ଲୀ ଠାରେ ପାରାଅଲିମ୍ପିକ୍ସ କ୍ରୀଡ଼ା ପଦକ ବିଜେତା ସୁମିତ ଆଂଟିଲ (ଜାଭେଲିନ୍ ଥ୍ରୋ ଏଫ ୬୪ ସ୍ୱର୍ଣ୍ଣ ପଦକ), ଦେବେନ୍ଦ୍ର ଝାଝରିଆ (ଜାଭେଲିନ ଥ୍ରୋ ଏଫ ୪୬ ରୌପ୍ୟ ପଦକ), ଯୋଗେଶ କାଠୁନିଆ (ଡିସକସ ଥ୍ରୋ ଏଫ ୫୬ ରୌପ୍ୟ ପଦକ) ଏବଂ ଶରଦ କୁମାର (ହାଇ ଜମ୍ପ ଟି ୬୩ ବ୍ରୋଞ୍ଜ ପଦକ)ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କାର୍ଯ୍ୟକ୍ରମରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ନିଶିଥ ପ୍ରମାଣିକ ମଧ୍ୟ ଉପସ୍ଥିତ ଥିଲେ । କ୍ରୀଡ଼ା ବିଭାଗ ସଚିବ ରବି ମିତଲ ଏବଂ ମନ୍ତ୍ରଣାଳୟର ଅଧିକାରୀଗଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଶ୍ରୀ ଠାକୁର କହିଥିଲେ ଯେ, “ପାରା ଅଲିମ୍ପିଆନମାନଙ୍କ ଚମତ୍କାର ପ୍ରଦର୍ଶନରେ ସାରା ଭାରତ ଆନନ୍ଦିତ । ପୂର୍ବ ଅଲିମ୍ପିକ୍ସଗୁଡ଼ିକରେ ଭାରତର ପ୍ରଦର୍ଶନକୁ ଦେଖିଲେ ଚଳିତ ଥର ଆମେ ପଦକ ହାସଲ କରିବାରେ ପୂର୍ବର ଶ୍ରେଷ୍ଠ ପ୍ରଦର୍ଶନ ସହ ସମକକ୍ଷ ହୋଇପାରିଛୁ । ପାରା ଅଲିମ୍ପିଆନମାନେ ଭାରତର ଗର୍ବ । ସେମାନଙ୍କ ଚମତ୍କାର ପ୍ରଦର୍ଶନ କେବଳ ଦେଶକୁ ଗୌରବାନ୍ୱିତ କରିନାହିଁ ବରଂ ଭାରତ ପ୍ରତ୍ୟେକ ସ୍ୱପ୍ନକୁ ସାକାର କରିପାରିବ ବୋଲି ବିଶ୍ୱାସ ଜନ୍ମାଇପାରିଛି । ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ସଂଖ୍ୟକ କ୍ରୀଡ଼ାବିତମାନଙ୍କୁ ପଠାଇଥିଲା । ଏହି ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ସଂଖ୍ୟାକୁ ଦୁଇ ଅଙ୍କରେ ପହଂଚାଇ ପାରିଛନ୍ତି । ଏହି ପାରା ଆଥଲେଟମାନେ ଆଜି ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେପରି ଭାବେ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରି ଆମର କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିଛନ୍ତି, ତାହା ଆମର ଖେଳାଳୀମାନଙ୍କୁ ପ୍ରେରଣା ଯୋଗାଇଛି । ମୁଁ ପୁଣିଥରେ ସୁମିତ ଆଂଟିଲ, ଦେବେନ୍ଦ୍ର ଝାଝରିଆ, ଯୋଗେଶ କାଠୁନିଆ ଏବଂ ଶରଦ କୁମାରଙ୍କୁ ସେମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି ।” କ୍ରୀଡ଼ା ମନ୍ତ୍ରୀ ଆହୁରି କହିଥିଲେ ଯେ, ସୁମିତ ଜାଭେଲିନ ଥ୍ରୋରେ କେବଳ ପଦକ ଜିତିନାହାନ୍ତି ବରଂ ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଦେବେନ୍ଦ୍ର ୬୪.୩୫ ମିଟର ଥ୍ରୋ କରି ବ୍ୟକ୍ତିଗତ ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହିତ ରୌପ୍ୟ ପଦକ ହାସଲ କରିଛନ୍ତି । ପାରା ଅଲିମ୍ପିକ୍ସରେ ଏହା ହେଉଛି ତାଙ୍କର ତୃତୀୟ ପଦକ । ଡିସକସ ଥ୍ରୋରେ ଯୋଗେଶ କାଠୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି ଏବଂ ଶରଦ କୁମାର ପୁରୁଷ ହାଇଜମ୍ପକରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମାନେ କୋଟି କୋଟି ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ କ୍ରୀଡ଼ାବିତମାନଙ୍କୁ ସହାୟତା ଯୋଗାଇ ଦେବା କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟରେ ସମ୍ପୂର୍ଣ୍ଣ ପରିବର୍ତନ ଆସିଛି । ସରକାର ଭାରତର ପାରାଅଲିମ୍ପିଆନମାନଙ୍କୁ ନିରନ୍ତର ସମର୍ଥନ ଜାରି ରଖିବେ ଯାହାଫଳରେ ସେମାନେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିପାରିବେ । ଟାର୍ଗେଟ ଅଲିମ୍ପିକ୍ସ ପୋଡ଼ିୟମ ଯୋଜନାକୁ ଆଗକୁ ନିଆଯିବ ଏବଂ ଆହୁରି ସୁଦୃଢ଼ କରାଯିବ ବୋଲି କ୍ରୀଡ଼ା ମନ୍ତ୍ରୀ କହିଥିଲେ । ଶ୍ରୀ ଠାକୁର କହିଥିଲେ ଯେ ଜାତୀୟ କ୍ରୀଡ଼ା ଦିବସରେ ଆମର ପାରା ଆଥଲେଟମାନେ ଚାରିଟି ପଦକ ଜିତିବା ଠାରୁ ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଅବନୀଙ୍କ ପ୍ରଦର୍ଶନ ବିଷୟରେ ଉଲ୍ଲେଖ କରି ଶ୍ରୀ ଠାକୁର କହିଥିଲେ ଯେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବା ଉଲ୍ଲେଖନୀୟ ଉପଲବ୍ଧି ଏବଂ ସମଗ୍ର ରାଷ୍ଟ୍ର ତାଙ୍କୁ ନେଇ ଗର୍ବିତ । ଏହି ଆଲୋଚନା କାଳରେ, ପାରା ଆଥଲେଟମାନେ କହିଥିଲେ ଯେ ଦେଶର ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିବା ଏବଂ ଅନୁପ୍ରାଣିତ କରିବା ଅଭୂତପୂର୍ବ ଅନୁଭୂତି ଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା କାରଣରୁ ସେମାନଙ୍କ ମନୋବଳ ଶୀର୍ଷକୁ ଯାଇପାରିଥିଲା । ସରକାର ସେମାନଙ୍କୁ ଆର୍ôଥକ ପ୍ରୋତ୍ସାହନ ଏବଂ ସୁବିଧା ଯୋଗାଇ ଦେଇଥିଲେ ଯାହାକି ସେମାନଙ୍କୁ ପଦକ ହାସଲ କରିବାରେ ସହାୟକ ହୋଇଥିଲା ।