ତୀର୍ଥଯାତ୍ରୀଙ୍କ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ କେବେଠୁ ଓ କେଉଁଠି କେଉଁଠି ବୁଲିପାରିବେ
ଭୁବନେଶ୍ବର : ରେଳ ବିଭାଗର ବଡ଼ ପଦକ୍ଷେପ । ଭାରତୀୟ ରେଳବାଇ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ରେଳ ଟୁର ପ୍ୟାକେଜ୍ ଘୋଷଣା କରାଯାଇଛି। ଘରୋଇ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ‘ଦେଖୋ ଆପ୍ନା ଦେଶ’ ପଦକ୍ଷେପ ଅନୁଯାୟୀ ଏକ ସ୍ୱତନ୍ତ୍ର ଟ୍ରେନ ଶ୍ରୀଜଗନ୍ନାଥ ଯାତ୍ରା ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍ ଦିଲ୍ଲୀରୁ ଆରମ୍ଭ ହୋଇ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳ ଓ ଐତିହ୍ୟସ୍ଥଳକୁ ସଂଯୋଗ କରିବ। ଅତ୍ୟାଧୁନିକ ଏସି ରେକ୍ ସହିତ ଏହି ଟ୍ରେନ୍ ଜାନୁଆରି ୨୫ରେ ଦିଲ୍ଲୀ ସଫଦରଜଙ୍ଗ୍ ରେଳ ଷ୍ଟେସନରୁ ବାହାରି ଫେବ୍ରୁଆରି ପହିଲାରେ ଯାତ୍ରା ଶେଷ କରିବ। ଏହି ସମୟ ମଧ୍ୟରେ ତୀର୍ଥଯାତ୍ରୀ ଦେଶର ଚାରି ଧାମ ମଧ୍ୟରୁ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବେ। ଏହାବ୍ୟତୀତ ବାରଣାସୀ, ବୈଦ୍ୟନାଥ ଧାମ ଓ ଗୟା ପରିଦର୍ଶନ ମଧ୍ୟ ଏହି ଯାତ୍ରାର ଆକର୍ଷଣର କେନ୍ଦ୍ର ରହିବ। ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ଼ ତୁଣ୍ଡଲା, ଇଟାୱା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେସନରେ ଚଢିବା ଓ ଓହ୍ଲାଇବାର ବିକଳ୍ପ ମଧ୍ୟ ପାଇବେ।
୭ ରାତ୍ରି/୮ ଦିନର ଟ୍ରେନ୍ ଯାତ୍ରା ବାରଣାସୀରେ ଏହାର ପ୍ରଥମ ପରିଭ୍ରମଣ କରାଇବ। ଯେଉଁଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର ଜ୍ୟୋତିର୍ଲିଙ୍ଗ, ଗଙ୍ଗା ଘାଟ ଓ ଆରତି କରିଡର ପରିଦର୍ଶନ କରିବେ। ବାରଣାସୀ ପରେ ଟ୍ରେନ୍ ଝାଡ଼ଖଣ୍ଡର ଜସିଡିହ ରେଳ ଷ୍ଟେସନକୁ ଯିବ। ଯେଉଁଠାରେ ପର୍ଯ୍ୟଟକ ବୈଦ୍ୟନାଥ ଧାମ ଜ୍ୟୋତିର୍ଲିଙ୍ଗ ମନ୍ଦିର ପରିଦର୍ଶନ କରିପାରିବେ। ଜସିଡିହ ପରେ ଟ୍ରେନ୍ ପୁରୀ ଅଭିମୁଖେ ଯାତ୍ରା କରିବ। ଏଠାରେ ହୋଟେଲରେ ଦୁଇ ରାତି ରହିବାର ବ୍ୟବସ୍ଥା କରାଯିବ। ପୁରୀରେ ପର୍ଯ୍ୟଟକମାନେ ଜଗନ୍ନାଥ ମନ୍ଦିର, ଗୋଲଡେନ୍ ପୁରୀ ବିଚ୍, କୋଣାର୍କର ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ୱରରେ ମନ୍ଦିର ପରିଦର୍ଶନ କରିବେ। ପୁରୀ ପରେ ଶେଷ ଗନ୍ତବ୍ୟସ୍ଥଳ ହେଉଛି ଗୟା। ଯେଉଁଠାରେ ବିଷ୍ଣୁପଦ ମନ୍ଦିର ପରିଦର୍ଶନ କରାଯିବ। ଏହି ଟ୍ରେନ୍ ୮ଦିନ ଯାତ୍ରା ପରେ ଫେବୃଆରି ପହିଲାରେ ଦିଲ୍ଲୀକୁ ଫେରିବ।
ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ପର୍ଯ୍ୟଟନ ଟ୍ରେନରେ ୧୧ଟି ତୃତୀୟ ଏସି କୋଚ୍, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ଦୁଇଟି ଏସ୍ଏ୍ଆର ଉପଲବ୍ଧ ରହିଛି। ସୁସଜ୍ଜିତ ଆଧୁନିକ ପାଣ୍ଟ୍ରି କାରରୁ ସତେଜ ରନ୍ଧା ଶାକାହାରୀ ଖାଦ୍ୟ ଟ୍ରେନରେ ନିଜ ନିଜ ଆସନରେ ଅତିଥିଙ୍କୁ ଦିଆଯିବ। ଟ୍ରେନ ଯାତ୍ରୀମାନଙ୍କ ମନୋରଞ୍ଜନ ତଥା ଜନସାଧାରଣଙ୍କ ଘୋଷଣା ପାଇଁ ଏକ ସୂଚନା ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକଙ୍କ ପାଇଁ ସ୍ୱଚ୍ଛ ଶୌଚାଳୟଠାରୁ ଆରମ୍ଭ କରି ସିସିଟିଭି କ୍ୟାମେରା, ପ୍ରତ୍ୟେକ କୋଚ୍ ପାଇଁ ସୁରକ୍ଷା କର୍ମୀ ରହିବେ। ଭାରତ ଗୌରବ ଟ୍ରେନ୍ ଯୋଜନା ଅଧୀନରେ ରେଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ରେଳ ପ୍ରାୟ ୩୩% ରିହାତି ପ୍ରଦାନ କରୁଛି। ପ୍ରତି ବ୍ୟକ୍ତିଙ୍କ ପାଇଁ ୧୭ ହଜାର ୬୫୫ ଟଙ୍କାରୁ ପ୍ୟାକେଜ୍ ଆରମ୍ଭ ହେଉଛି। ଏହି ପ୍ୟାକେଜରେ ତୃତୀୟ ଏସିରେ ଟ୍ରେନ୍ ଯାତ୍ରା, ଏସି ହୋଟେଲରେ ରାତି ରହଣି, ପୂର୍ଣ୍ଣ ଭୋଜନ(କେବଳ ଶାକାହାରୀ), ସମସ୍ତ ବସ୍ ଓ ଦର୍ଶନୀୟ ସ୍ଥାନ ସ୍ଥାନାନ୍ତର, ଭ୍ରମଣ ବୀମା ଏବଂ ଗାଇଡ୍ ସେବା ଆଦି ଅନ୍ତର୍ଭୁକ୍ତ ରହିଛି। ଏଥିସହ ସ୍ୱାସ୍ଥ୍ୟ ବ୍ୟବସ୍ଥା, ସତର୍କତାମୂଳକ ପଦକ୍ଷେପ ପ୍ରଦାନ କରାଯିବ। ଅତିଥିମାନଙ୍କ ପାଇଁ ଏକ ନିରାପଦ ତଥା ସ୍ମରଣୀୟ ଅଭିଜ୍ଞତା ପ୍ରଦାନ କରିବାକୁ ଆଇଆରସିଟିସି ଚେଷ୍ଟା କରିବ। ଅଧିକ ବିବରଣୀ ପାଇଁ ପର୍ଯ୍ୟଟକମାନେ ଆଇଆରସିଟିସି ୱେବସାଇଟ୍ www.irctctourism.com ପରିଦର୍ଶନ କରିପାରିବେ।