ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସ.ଡି.ସି) ବାଲେଶ୍ୱରର ନୂତନ ଅଧ୍ୟକ୍ଷଙ୍କୁ ଆଦିବାସୀ ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା
ନୀଳଗିରି : ବାଲେଶ୍ୱର ଜ଼ିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର(ଏସ.ଡି.ସି) ର ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧ୍ୟକ୍ଷଙ୍କୁ ନୀଳଗିରିରେ ଆଦିବାସୀ ସଂପ୍ରଦାୟ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ତିନି ଆଦିବାସୀ ସଂଗଠନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲାର ଆଦିବାସୀ ଭାଇ ଭଉଣୀ ମାନଙ୍କର ସଂସ୍କୃତି, ପରମ୍ପରା ଏବଂ ଜୀବନ ଧାରଣରମାନ ଓ ବିକାଶକୁ ଆଖିଆଗରେ ରଖି ରାଜ୍ୟ ସରକାର ୧୪ଗୋଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ (ସ୍ପେସିଆଲ ଡେଭଲପମେଣ୍ଟ କାଉନସିଲ) ଗଠନ କରିଥିବା ବେଳେ ବାଲେଶ୍ବରର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ନୀଳଗିରି ବ୍ଲକ୍ ଭଉଁରିଆବାଡ ପଞ୍ଚାୟତ ଅଧୀନସ୍ଥ ତେରଲଡିହି ଗ୍ରାମର ଚରେ ମାଝୀଙ୍କ ସୁପୁତ୍ର ମଦନ ମୋହନ ମାଝୀ।
ଏହି ଅବସରରେ ଶୁକ୍ରବାର ପୂର୍ବାହ୍ନରେ ମଦନ ମୋହନ ମାଝୀଙ୍କ ବାସଭବନରେ ତିନି ଆଦିବାସୀ ସଂଗଠନ-ଭାରତ ଜାକାତ ମାଝୀ ପାରଗାନ ମହଲ ନୀଳଗିରି ବ୍ଲକ, ନୀଳଗିରି ଆଦିବାସୀ ବିକାଶ ପରିଷଦ ଓ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂସ୍ଥା ନୀଳଗିରି ଶାଖା ତରଫରୁ ଶ୍ରୀ ମାଝୀ ଓ ତାଙ୍କର ପତ୍ନୀ ତଥା ନୀଳଗିରି ବ୍ଲକର ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ସଂଗଠନ ସଦସ୍ୟ ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ନୂତନଭାବେ ନିଯୁକ୍ତ ହୋଇଥିବା ଅଧ୍ୟକ୍ଷ ଜାଗ୍ରତ ପ୍ରହରୀ ଭାବେ ଆଦିବାସୀ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି। ସେ ଆଦିବାସୀ କୂଳରେ ଜନ୍ମ ହୋଇ ଜବାହାରଲାଲ ନେହେରୁ ୟୁନିଭର୍ସିଟିର ପୂର୍ବତନ ଛାତ୍ର ସହ ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ ମୁଖ୍ୟ ମହାପ୍ରବନ୍ଧକ ଭାବରେ କାର୍ଯ୍ୟ କରି ଚାକିରୀ ରୁ ଅବସର ଗ୍ରହଣ ପରେ ଜଣେ ଆଦିବାସୀ ନେତା ଭାବେ ରାଜନୀତିରେ ପାଦ ଦେଲାପରେ ରାଜ୍ୟ ସରକାର ତାଙ୍କୁ ଏଭଳି ଗୁରୁଦାୟିତ୍ଵ ଦେଇଥିବାରୁ ଏହି ତିନି ଆଦିବାସୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କୋ ଅଡିନେଟର ସୋମନାଥ ଟୁଡୁ, ବ୍ଲକ ପାରଗାନା ପ୍ରଭାତ କୁମାର ମୁର୍ମୁ, ବ୍ଲକ ପାରାନିକ ଲକ୍ଷ୍ମୀଧର ମାଝୀ, ବ୍ଲକ ଜଗ ପାରଗାନା ବିରାମ ମାର୍ଣ୍ଡୀ, ବ୍ଲକ ଗଡେତ୍ ଶତ୍ରୁଘ୍ନ ମୁର୍ମୁ, ଆଦିବାସୀ ବିକାଶ ପରିଷଦ ସେକ୍ରେଟାରୀ ଲମ୍ବୋଦର ମାଝୀ, ଅବସରପ୍ରାପ୍ତ ଜେଲ ବିଭାଗର ଡି.ଆଇ.ଜି ରଘୁନାଥ ମାଝୀ, ମାତା ମାଝୀ, ରମେଶଚନ୍ଦ୍ର ମୁର୍ମୁ, ବାହାଦୁର ଟୁଡୁ, ରବିନ୍ଦ୍ର କୁମାର ମାଝୀ, ମୁଷୁ ମାଝୀ ପ୍ରମୁଖ ଯୋଗଦେଇ ନିଜର ନିଜର ବକ୍ତବ୍ୟ ରଖିବା ସହିତ ଅଧକ୍ଷଙ୍କ ଉତ୍ତୋରତର କାମନା କରିଥିଲେ।