ସ୍ପାନିଶ୍ ପାରା ବ୍ୟାଡ୍ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍ : ତିନୋଟି ସ୍ୱର୍ଣ୍ଣପଦକ ଜିତିଲେ ପ୍ରମୋଦ
ଭୁବନେଶ୍ୱର : ସ୍ପେନ୍ର ଭିକ୍ଟୋରିଆ ସହରରେ ଗତ ୧ ତାରିଖଠାରୁ ଚାଲିଥିବା ସ୍ପାନିଶ୍ ପାରା ବ୍ୟାଡ୍ମିଣ୍ଟନ୍ ଇଣ୍ଟରନ୍ୟାସନାଲ୍ ରବିବାର ଉଦ୍ଯାପିତ ହୋଇଛି। ଏଥିରେ ବିଶ୍ୱର ଏକ ନମ୍ବର ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ତିନୋଟି ସ୍ୱର୍ଣ୍ଣପଦକ ଜିତିଛନ୍ତି।
ସେ ପ୍ରଥମେ ମିକ୍ସଡ ଡବଲ୍ସ ବର୍ଗରେ ତାଙ୍କ ଯୋଡ଼ିଦାର ପଲକ କୋହଲିଙ୍କ ସହ ନିଜ ଦେଶର ରୁଥିକ୍ ରଗୁପତି ଓ ମାନସୀ ଜି. ଯୋଶୀ ଯୋଡ଼ିକୁ ୧୪-୨୧, ୨୧-୧୧, ୨୧-୧୪ରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଥିଲେ। ପରେ ସେ ସିଙ୍ଗଲ୍ସରେ ନିଜ ଦେଶର ନୀତେଶ କୁମାରଙ୍କୁ ୧୭-୨୧, ୨୧-୧୭, ୨୧-୧୭ରେ ହରାଇ ଦିନର ଦ୍ୱିତୀୟ ଏବଂ ଶେଷରେ ପୁରୁଷ ଡବଲ୍ସ ଇଭେଣ୍ଟ୍ରେ ନିଜ ଯୋଡ଼ିଦାର ମନୋଜ ସରକାରଙ୍କ ସହ ମିଶି ନୀତେଶ-ସୁକାନ୍ତ କଦମ୍ ଯୋଡ଼ିକୁ ୨୧-୧୯, ୧୧-୨୧, ୨୧-୧୧ରେ ପରାସ୍ତ କରି ତୃତୀୟ ସ୍ୱର୍ଣ୍ଣ ଜିତିପାରିଛନ୍ତି। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଓଡ଼ିଆ ଖେଳାଳି ଦୀପ ରଞ୍ଜ ବିଷୋୟୀ ଶନିବାର ସେମିଫାଇନାଲ୍ରେ ପରାସ୍ତ ହେବା ପରେ ବ୍ରୋଞ୍ଜ୍ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।