ହକି ମହାସମର : ୫-୧ ଗୋଲ୍ରେ ୱେଲ୍ସକୁ ହରାଇଲା ସ୍ପେନ୍
ରାଉରକେଲା: ଆଜି ହକି ବିଶ୍ବକପର ତୃତୀୟ ଦିନ । ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ ଓ ଓ୍ବେଲ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଇଛି । ରବିବାର ଖେଳାଯାଇଥିବା ମ୍ୟାଚରେ ସ୍ପେନ୍ ୫-୧ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି। ଚଳିତବର୍ଷ ସ୍ପେନ ପ୍ରଥମ ଥର ପାଇଁ ବିଜୟର ସ୍ବାଦ ଚାଖିଥିବା ବେଳେ ୱେଲ୍ସ ପ୍ରଥମ ମ୍ୟାଚ୍ ଭଳି ପରାଜୟର ଶିକାର ହୋଇଛି।
ଟୁର୍ଣ୍ଣାମେଣ୍ଟର ୯ମ ମ୍ୟାଚ୍ର ପ୍ରଥମ କ୍ବାର୍ଟରରେ ଉଭୟ ସ୍ପେନ୍ ଓ ୱେଲ୍ସ ମଧ୍ୟରେ କଡ଼ାମୁକାବିଲା ଦେଖିବାକୁ ମିଳିଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ସ୍ପେନ କ୍ରମାଗତ ଭାବେ ୨ଟି ଗୋଲ ଦେଇଥିଲା। ଟିମ୍ର ଖେଳାଳି ରେନେ ମାର୍କ ୧୬ ମିନିଟରେ ଓ ଇଗଲେସିଆସ ଆଲଭାରୋ ୨୨ ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ସେହିପରି ୩ୟ କ୍ବାର୍ଟରର ୩୨ ମିନିଟରେ ମିରାଲେସ ମାର୍କ ଏକ ପୋନାଲ୍ଟି ଗୋଲ ଓ ୩୮ ମିନିଟରେ ରେନେ ମାର୍କ ଫିଲ୍ଡ ଗୋଲ ଦେଇ ଦଳକୁ ୪-୦ରେ ଅଗ୍ରଣୀ କରାଇଥିଲେ। ସ୍ପେନ ପକ୍ଷରୁ ୫୬ ମିନିଟରେ ମିରାଲେସ ମାର୍କ ଏକ ଫିଲ୍ଡ ଗୋଲ ଦେଇଥିଲେ। ଅପରପକ୍ଷେ ୱେଲ୍ସ ପକ୍ଷରୁ କାରସନ୍ ଜେମ୍ସ ୫୨ ମିନିଟରେ ଏକ ଗୋଲ ଦେଇ ନିଜ ଟିମ୍ର ସମ୍ମାନ ରଖିଥିଲେ।
ସୂଚନା ଯେ, ପୂର୍ବରୁ ଗତ ୧୩ ତାରିଖରେ ଭାରତ ୨-୦ ଗୋଲ୍ରେ ସ୍ପେନକୁ ହରାଇଥିଲା। ସେହିପରି ସେହିଦିନ ଇଂଲଣ୍ଡ ହାତରୁ ୱେଲ୍ସ ୫-୦ ଗୋଲ୍ରେ ପରାସ୍ତ ହୋଇଥିଲା। ଆସନ୍ତା ୧୯ ତାରିଖରେ ସ୍ପେନକୁ ଇଂଲଣ୍ଡ ଏବଂ ଭାରତକୁ ୱେଲ୍ସ ଭେଟିବ। ଏହି ମ୍ୟାଚ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।