ହକି ମହାସମର : ଜାପାନକୁ ୨-୧ ଗୋଲରେ ହରାଇ ପ୍ରଥମ ବିଜୟ ହାସଲ କଲା ଦକ୍ଷିଣ କୋରିଆ
ଭୁବନେଶ୍ୱର : ଆଜି ହକି ବିଶ୍ୱକପର ପଞ୍ଚମ ଦିନ । ଗ୍ରୁପ ‘ବି’ର ପ୍ରଥମ ମ୍ୟାଚ ଦୁଇ ଏସୀୟ ପ୍ରତିଦ୍ୱନ୍ଦୀ ଦକ୍ଷିଣ କୋରିଆ ଓ ଜାପାନ ମଧ୍ୟରେ ମୁକାବିଲା ହୋଇଥିଲା। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ହରାଇ ପ୍ରଥମ ବିଜୟ ହାସଲ କରିଛି ।
ମ୍ୟାଚର ପ୍ରଥମ ଗୋଲ ସ୍କୋର ଜାପାନ କରିଥିଲା । ମ୍ୟାଚର ମାତ୍ର ଦ୍ୱିତୀୟ ମିନିଟରେ କେନ ନାଗ୍ୟୋସି ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। କିନ୍ତୁ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା କୋରିଆ । ନବମ ମିନିଟରେ କୋରିଆର ଜଙ୍ଗଜୁନ ଲି ଗୋଲଟି ପରିଶୋଧ କରିଦେଇଥିଲେ । ଲି ୨୪ ତମ ମିନିଟରେ ଆଉ ଗୋଟିଏ ଗୋଲ ସ୍କୋର କରିଥିଲେ, ଆଉ ତାହା ହିଁ ବିଜୟସୂଚକ ସାବ୍ୟସ୍ତ ହୋଇଥିଲା ।
ଉଭୟ ୩ୟ ଓ ୪ର୍ଥ କ୍ବାର୍ଟରରେ ଉଭୟ କୋରିଆ ଓ ଜାପାନର ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। କୋରିଆକୁ ଏକାଧିକ ଥର ପେନାଲ୍ଟି ଗୋଲ୍ ଦେବାର ସୁଯୋଗ ମିଳିଥିଲେ ମଧ୍ୟ ଏହା କାର୍ଯ୍ୟରେ ପରିଣତ ହୋଇପାରି ନଥିଲା। କୋରିଆକୁ ମୋଟ ୮ ଥର ପେନାଲ୍ଟି ଗୋଲ୍ ଦେବାପାଇଁ ସୁଯୋଗ ମିଳିଥିଲା। ଅପରପକ୍ଷେ ଜାପାନକୁ ୬ ଥର ସୁଯୋଗ ମିଳିଥିଲେ ହେଁ ଏଥିରୁ ଗୋଟିଏ ଥର ସଫଳତା ମିଳିଥିଲା।