ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ଏସଓପି ଜାରି, ଜାଣନ୍ତୁ କଣ ରହିଛି ନୂଆ ନିୟମ…
ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ସମୟରେ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ସ୍କୁଲ୍ ଖୋଲିବା ପୂର୍ବରୁ ସ୍କୁଲ ପରିଚାଳନା କମିଟି ସହ ଆଲୋଚନା ହେବା ପରେ ଜାରି ହୋଇଛି ଏହି ଏସଓପି । ଏପରିକି ପଞ୍ଚାୟତରାଜ ସଚିବ ଏବଂ ଗଣଶିକ୍ଷା ସଚିବ ମିଳିତ ଭାବେ ଅଷ୍ଟମ ଏବଂ ଏକାଦଶ ଶ୍ରେଣୀ ଖୋଲିବା ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି । ପ୍ରାୟ ୧୮ ମାସ ପରେ ସ୍କୁଲ ଖୋଲୁଥିବାରୁ ପାଠ ପଢା କ୍ଷତିର ଭରଣ ମଧ୍ୟ କରାଯିବ । ସେହିପରି ପ୍ରତିଦିନ ଏକ ଘଣ୍ଟା ଧରି ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠର ରିଭିଜନ କରିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ତେବେ କରୋନାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ ।
ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ ଶ୍ରେଣୀଗୃହକୁ ସାନିଟାଇଜ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦୈନିକ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବ୍ଲକ ଶିକ୍ଷା ଅଧିକାରୀ । ତେବେ କରୋନା ଦୃଷ୍ଟିରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ସ୍କୁଲରେ ରହିବ ମାସ୍କ ଓ ସାନିଟାଇଜର ବ୍ୟବସ୍ଥା । ତେବେ ସମସ୍ତ ଶିକ୍ଷକ ଯେପରି ଡବଲ ଡୋଜ୍ ଟିକା ନେଇଥିବେ ତା’ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ସେହିପରି ସକାଳ ୯ରୁ ପିଲାମାନେ ସ୍କୁଲ ଆସି ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଘରକୁ ଫେରିବେ । ତେବେ ସ୍କୁଲ ଖୋଲିବା ପୂର୍ବରୁ ଏସଏମସି ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ହେବ । ପଞ୍ଚାୟତରାଜ ବିଭାଗର ତୃଣମୂଳ ସ୍ତରର ସଦସ୍ୟଙ୍କ ସହ ମିଶି ସ୍କୁଲ ଭିତିଭୂମିକୁ ସଜଡା ଯିବ । ସ୍କୁଲ ଖୋଲିବା ପରେ ସରକାରଙ୍କ ତରଫରୁ ଜାରି ହୋଇଥିବା ଏସଓପି କଡାକଡି ପାଳନ କରାଯିବ ।