ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା ସୋନପୁର ଓ ବୌଦ୍ଧ
ସୋନପୁରରେ ୩୦୦ କୋଟି, ବୌଦ୍ଧରେ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭର୍ଚୁଆଲ ମାଧ୍ୟମରେ ସୋନପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିଛନ୍ତି । ସୋନପୁରର ଏକ ଲକ୍ଷ ପଚାଶ ହଜାର ଲୋକ ଏହି ସୁବିଧା ପାଇବା ବେଳେ ବୌଦ୍ଧର ତିନି ଲକ୍ଷ ବାସ୍ତରି ହଜାର ଲୋକ ସ୍ମାର୍ଟ କାର୍ଡ ପାଇବେ । ଏହାସହିତ ରାଜ୍ୟର ୧୯ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ । ଏହି ଅବସରରେ ସୋନପୁର ପାଇଁ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସୋନପୁରକୁ ମନ୍ଦିର ନଗରୀ ଭାବେ ବର୍ଣ୍ଣନା କରି ଏହାର କଳା ଓ ସଂସ୍କୃତିର ଉଚ୍ଚପ୍ରଶଂସା କରିଥିଲେ । ସୋନପୁରର ବୁଣାକାରମାନେ ନିଜ ଦକ୍ଷତା ଦ୍ୱାରା ଓଡିଶାର ଗୌରବକୁ ଦେଶ ବିଦେଶରେ ପହଂଚାଇଛନ୍ତି ବୋଲି ସେ କହିଥିଲେ । ଜିଲ୍ଲାର ବିକାଶ ପାଇଁ ସେ ସମର୍ପିତ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ କହିଲେ ଯେ ସୋନପୁରରେ ଗଝଗଋ ପାର୍କ ପ୍ରତିଷ୍ଠା ଜରିଆରେ ଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ । ତା ସହିତ ଜଳସେଚନ ଓ ସ୍ୱାସ୍ଥ୍ୟ ସୁବିଧାର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି । ଜିଲ୍ଲା ମୁଖ୍ୟାଳୟରେ ଏକ ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି । ଏହାଦ୍ୱାରା ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ଅପରାହ୍ନରେ ବୌଦ୍ଧ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ସ୍ମାର୍ଟ ହେଲ୍ଥ କାର୍ଡ ବଂଟନର ଶୁଭାରମ୍ଭ କରିଥିଲେ । ଜିଲ୍ଲା ପାଇଁ ୪୮୩ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ପ୍ରାକୃତିକ ପରିବେଶର ବହୁତ ପ୍ରଶଂସା କରିଥିଲେ । ବୌଦ୍ଧରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ବିପୁଳ ସୁଯୋଗକୁ ଉପଯୋଗ କରାଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦ କୋଟି ଟଙ୍କାରେ ନନ୍ଦନ ବନ ସଫାରୀ କରାଯିବ, ଯାହାଦ୍ୱାରା ଇକୋ-ଟୁରିଜିମ୍ର ବିକାଶ ସହିତ ଜିଲ୍ଲାର ୪୦୦ ପରିବାରକୁ ରୋଜଗାର ମିଳିବ । ସେହିପରି ୪ କୋଟି ଟଙ୍କାରେ ୩୭ଟି ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ ବୋଲି ସେ କହିଥିଲେ । ଦୁଗ୍ଧ ଉତ୍ପାଦନରେ ବୌଦ୍ଧ ଜିଲ୍ଲାର ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗାମୀ ଏକ ବର୍ଷରେ ୨୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ଦୁଗ୍ଧ ଶୀତଳୀକରଣ ପ୍ଲାଂଟ ନିର୍ମାଣ କରାଯିବ । ଏହାଦ୍ୱାରା ୧୦ ହଜାର ଚାଷୀ ଏଥିରେ ରୋଜଗାର ପାଇପାରିବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋନପୁରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ , ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ, ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ପ୍ରଦୀପ କୁମାର ଅମାତ ଓ ବିଧାୟକ ମହିଧର ରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ କାର୍ଯ୍ୟକ୍ରମ ଦ୍ୱାରା ଆଜି ରାଜ୍ୟର ଗରିବ ଜନସାଧାରଣ ଟଙ୍କା ଚିନ୍ତାରୁ ମୁକ୍ତ ହୋଇ ଶାନ୍ତିରେ ନିଜ ପରିବାରର ବିକାଶ ପାଇଁ କାମ କରିବାର ସୁଯୋଗ ପାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ଓଡିଶାକୁ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ଭାବରେ ପରିଣତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।