ଭାରତୀୟ ଗଣତନ୍ତ୍ର ପ୍ରତି ସୋସିଆଲ ମିଡିଆରୁ ଦେଖା ଦେଇଥିବା ବିପଦକୁ ନେଇ ଚିନ୍ତାବ୍ୟକ୍ତ କଲେ ସୋନିଆ ଗାନ୍ଧି
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବୁଧବାର ସଂସଦରେ ଭାରତୀୟ ଗଣତନ୍ତ୍ର ପ୍ରତି ସୋସିଆଲ ମିଡିଆରୁ ଦେଖା ଦେଇଥିବା ବିପଦକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଭାରତୀୟ ଲୋକତନ୍ତ୍ରକୁ ହ୍ୟାକ୍ କରିବା ଲାଗି ସୋସିଆଲ ମିଡିଆର ବଢୁଥିବା ଦୂରୁପୋଯଗକୁ ନେଇ ସେ ଗୃହରେ ଉଦବେଗ ପ୍ରକାଶ କରିବା ସହ ବିଶେଷ କରି ଜାତୀୟ ନିର୍ବାଚନ ରାଜନୀତିରେ ସୋସିଆଲ ମିଡିଆ ଦିଗ୍ଗଜଙ୍କ ହସ୍ତକ୍ଷେପ ଉପରେ ସରକାରଙ୍କୁ ତୁରନ୍ତ କଟକଣା ଲାଗୁ କରିବା ପାଇଁ ନିବେଦନ କରିଛନ୍ତି । ଯିଏ ବି ଶାସନରେ ଥାନ୍ତୁ ନା କାହିଁକି ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ଓ ସବୁ ଦଳଙ୍କ ଲାଗି ଏହା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଫେସବୁକ୍, ଟ୍ୱିଟର ଭଳି ବୈଶ୍ୱିକ ସୋସିଆଲ ମିଡିଆ କମ୍ପାନୀଙ୍କ ଉପଯୋଗ ଏବେ ପ୍ରାୟ ନେତା ଓ ରାଜନୈତିକ ଦଳ କରୁଛନ୍ତି । ଯେଉଁମାନେ ପ୍ରାୟତଃ ପରଦା ପଛରେ ରହି ରାଜନୈତିକ ବିମର୍ଶକୁ ଆକାର ଦେବାକୁ ଉଦ୍ୟମ କରୁଛନ୍ତି । ତେବେ ଏଥିରେ ଏହା ବାରମ୍ବାର ଦେଖା ଯାଇଛି ଯେ ଏହି ସୋସିଆଲ ମିଡିଆ କମ୍ପାନୀମାନେ ସବୁ ରାଜନୈତିକ ଦଳଙ୍କୁ ସମାନ ଅବସର ପ୍ରଦାନ କରୁନଥିବା ବେଳେ ସେମାନଙ୍କ ହୀତ ନିହିତ ଦଳ ଓ ରାଜନେତାଙ୍କ ପ୍ରତି ସମର୍ଥନ କରୁଥିବାର ସେ କହିଛନ୍ତି ।
ଗୃହର ଶୂନ୍ୟ କାଳରେ ସୋନିଆ ଏହି ଏହି ପ୍ରସଙ୍ଗ ଉତ୍ଥାପନ କରିଥିବା ବେଳେ ଏଥିପ୍ରତି ସରକାରଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ସୋସିଆଲ ମିଡିଆଙ୍କ ମାଧ୍ୟମରେ ହେଉଥିବା ଉଲ୍ଲଂଘନ ନେଇ ସୋନିଆ ୱାଲଷ୍ଟ୍ରିଟ୍ ଜର୍ଣ୍ଣାଲ ଓ ଅନ୍ୟ ଗଣମାଧ୍ୟମଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି । ଏଥିରେ ଛଦ୍ମ ବିଜ୍ଞାପନଦାତା ଫେସବୁକ୍ରେ କିପରି ବେଶ ଫଳିତ ଫୁଲିତ ହେଉଛନ୍ତି ତାର ମଧ୍ୟ ଉଦାହରଣ ଦେଇଛନ୍ତି । ଏପରିକି ଏମାନେ ନିର୍ବାଚନ ଆଚରଣବିଦ୍ଧିକୁ ବେଶ ସହଜରେ ଉଲ୍ଲଂଘନ କରୁଥିଲେ ମଧ୍ୟ ସେ ବାବଦରେ କାର୍ଯ୍ୟାନୁଷ୍ଠାନ ଦୂରର କଥା କେବେ ସେମାନଙ୍କୁ ସତର୍କ ମଧ୍ୟ କରାଯାଉ ନଥିବାର ଅଭିଯୋଗ କରିଛନ୍ତି । କ୍ଷମତାସୀନ ଦଳଙ୍କ ସମର୍ଥନରେ ଫେସବୁକ୍ ସାମାଜିକ ସଦଭାବ ଯେପରି ଭଙ୍ଗ କରିଚାଲିଛି ଏହା ଆମର ଗଣତନ୍ତ୍ର ଲାଗି ବିପଦଜନକ ବୋଲି ସୋନିଆ କହିଛନ୍ତି । ଏଥିରେ ପିଲା ହୁଅନ୍ତୁ ଅବା ବୁଢ଼ା ସବୁ ବର୍ଗର ଲୋକଙ୍କ ମନରେ ଦୁଷ୍ପ୍ରଚାର ଯୋଗୁ ଘୃଣା ବଢ଼ି ଚାଲିଥିବା ବେଳେ ଛଦ୍ମ ବିଜ୍ଞାପନ ସଂସ୍ଥାଙ୍କୁ ବେଶ୍ ସୁହାଇଛି । ମିଳୁଥିବା ପ୍ରମାଣରୁ ଯାହା ଜଣାପଡେ ଏଥିରେ ବୈଶ୍ୱିକ ସୋଶିଆଲ ମିଡିଆ ଦିଗ୍ଗଜ ଫେସବୁକଙ୍କ ସମେତ ଦେଶର କର୍ପୋରେଟ ଓ ଶାସନ ତନ୍ତ୍ରର ପାଖାପାଖି ସହଯୋଗ ରହୁଛି ବୋଲି ସୋନିଆ ଅଭିଯୋଗ କରିଛନ୍ତି । ଏଥିରେ ଲୋକସଭା ବାଚସ୍ପତି ତାଙ୍କର ବାସ୍ତବ ଦାବି କଣ ବୋଲି ପଚାରିବାରୁ ସୋନିଆ ‘ନିର୍ବାଚନ ରାଜନୀତିରେ ଫେସବୁକ୍ ଓ ଅନ୍ୟ ସୋସିଆଲ ମିଡିଆ ଦିଗ୍ଗଜଙ୍କ ବ୍ୟବସ୍ଥିତ ପ୍ରଭାବ ଓ ହସ୍ତକ୍ଷେପକୁ ସମାପ୍ତ କରିବା ପାଇଁ ସରକାରଙ୍କୁ ନିବେଦନ କରୁଛି ବୋଲି କହିଛନ୍ତି’ । ସେ କହିଛନ୍ତି ଯେ ଏହା ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ଓ ଆମେ କ୍ଷମତାରେ ଯିଏବି ଥାଏନା କାହିଁକି ସାମାଜିକ ସଦଭାବ ରକ୍ଷା କରିବା ଆମ ସମସ୍ତଙ୍କର ପ୍ରଥମ ଓ ବଡ଼ କର୍ତ୍ତବ୍ୟ ବୋଲି କହିଛନ୍ତି ।