ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ମା’କୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ପୁଅ
ବାରିପଦା : ପୁଅ ବୁଝିଲାନି ମା’ର ମମତା । ଭୁଲିଗଲା ରକ୍ତ ସମ୍ପର୍କ। ଶେଷରେ ଅନ୍ତଚିରି ଜନ୍ମ ଦେଇଥିବା ମା’କୁ କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପାଟଶିଳା ଗାଁରେ । ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କିଭଳି ଏହି ହତ୍ୟାକାଣ୍ତ ଘଟିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ।
ସୂଚନା ଯେ, ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପାଟଶିଳା ଗାଁରେ ରୁହନ୍ତି କର୍ମ ମୁର୍ମୁଙ୍କ ପରିବାର । ସ୍ବାମୀ ଭଟାଲୀ ଓ ପୁଅ ଗଜେନ୍ଦ୍ରଙ୍କୁ ନେଇ କର୍ମଙ୍କ ତେଲ ଲୁଣର ସଂସାର ଚାଲିଥିଲା । କିନ୍ତୁ ୩୫ବର୍ଷିୟ ପୁଅ ଗଜେନ୍ଦ୍ର କୌଣସି କାରଣରୁ ନିଜ ବାପା ମାଆଙ୍କ ଠାରୁ ଅଲଗା ହୋଇ ରହୁଥିଲେ । ଏପରିକି ଗଜେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଦିର୍ଘ ଦିନ ହେବ ଠିକ୍ ରହୁନ ଥିଲା । ତାଙ୍କୁ ଏପରି ଅନୁଭବ ହେଉଥିଲା ଯେ, ତାଙ୍କ ମା’ ତାଙ୍କୁ ଗୁଣି ଗାରେଡି କରୁଛନ୍ତି । ସେଥିପାଇଁ ତାଙ୍କ ସ୍ବାସ୍ଥ୍ୟ ଖରାପ ରହୁଛି। ଏନେଇ ସେ ଚିନ୍ତାଗ୍ରସ୍ତ ହୋଇପଡିଥିଲେ । କିନ୍ତୁ ବୁଧବାର ଦିନ ରାତିରେ ନିଶା ପାନ କରି ଘରକୁ ଫେରି ଗଜେନ୍ଦ୍ର ଛାତ ଉପରେ ବସିଥିବା ମା’କୁ ତଣ୍ଟିଚିପି ହତ୍ୟା କରିଦେଇଥିଲେ । ଏପରିକି ନିଜ ବାପା ଭାଟଲୀଙ୍କୁ ଏ ବାବଦରେ କାହାକୁ କିଛି ନ କହିବାକୁ ମନା କରିଥିଲେ। ଯଦି ଏହି ଘଟଣା ପ୍ରଘଟ ହୁଏ ତେବେ ବାପାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ଗଜେନ୍ଦ୍ର । ପରେ ଏନେଇ ଗଜେନ୍ଦ୍ର ନିଜ ବାଙ୍ଗିରପୋଷି ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ। ପୋଲିସ ତାଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଗଜେନ୍ଦ୍ରଙ୍କ ମାନସିକ ସ୍ବାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ଏଭଳି ହତ୍ୟାକାଣ୍ତ ଘଟିଥିବା ଅଭିଯୋଗ ହୋଇଛି । ଗଜେନ୍ଦ୍ରଙ୍କ ବିରୋଧରେ ଆଇପିସି ଧାରା ୩୦୨ ଏବଂ ଓଡ଼ିଶା ପ୍ରିଭେନସନ୍ ଅଫ୍ ୱିଚ୍ ହଣ୍ଟିଂ ଆକ୍ଟ ୨୦୧୩ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଛି। ଏବଂ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।