ପୁଅ ଭୁଲିଗଲା ମାନବିକତା; ବୃଦ୍ଧ ମା’ବାପାଙ୍କୁ ପାଇଖାନା ନିର୍ମାଣ ମନା
ନୀଳଗିରି : ମା’ବାପା ପୁଅଟିଏ ଜନ୍ମ ଦେଇଥାନ୍ତି ବୃଦ୍ଧ କାଳରେ ସେବା ଯତ୍ନ କରିବା ଆଶା ନେଇ । ମାତ୍ର ସେହି ପୁଅ ବଡ଼ହୋଇ ମା’ବାପାଙ୍କୁ ବୃଦ୍ଧାବସ୍ଥାରେ ମାରପିଟ୍ କରିବା ସହିତ କୁ-ଭାଷାରେ ଗାଳିଗୁଲଜ କରୁଛନ୍ତି । ଏପରିକି ବୃଦ୍ଧା ବସ୍ଥାରେ ଝାଡ଼ାପରିସ୍ରା ପାଇଁ ଅନ୍ୟତ୍ର ଯାଇପାରୁ ନଥିବା ବେଳେ ନିଜ ଜାଗାରେ ଏକ ପାଇଖାନା ନିମାଣ ପାଇଁ କାର୍ଯ୍ୟ ଆରମ୍ଭ କରୁଥିବା ବେଳେ ତାଙ୍କର ଏକମାତ୍ର ପୁଅ ବୃଦ୍ଧ ମା’ବାପା ଖୋଳୁଥିବା ପାଇଖାନା ଟାଙ୍କିକୁ ବାରମ୍ବାର ପୋତି ଦେଉଛି । ଏପରିକି ଯଦି ଏଠାରେ ପାଇଖାନା କରୁ ତେବେ ଭଲ କଥା ହେବ ନାହିଁ ବୋଲି ପୁଅ ଧମକ ମଧ୍ୟ ଦେଇଛି । ଏଥିରେ ନିରୁପାୟ ହୋଇ ଶେଷରେ ନୀଳଗିରି ଉପଜିଲାପାଳଙ୍କ ଠାରେ ଘଟଣା ବାବଦରେ ଲିଖିତ ଭାବେ ଜଣାଇଛନ୍ତି ।
ସୂଚନା ଅନସାରେ, ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସିର ୧୩ନଂ. ୱାର୍ଡ଼ ଗୋପୀନାଥପୁର ଗ୍ରାମର ଉପେନ୍ଦ୍ର ପ୍ରଧାନ (୮୬) ତାଙ୍କ ସ୍ତ୍ରୀ ସୁବାସିନୀ ବୃଦ୍ଧାବସ୍ଥାରେ ପାଉଥିବା ଭତ୍ତା ଟଙ୍କା ଓ ମିଳୁଥିବା ରେସନ ସାମଗ୍ରୀ ହିଁ ସାହା ଭରସା । ବହୁ କଷ୍ଟରେ ବୃଦ୍ଧାବୃଦ୍ଧ ଜୀବନ ଅତିବାହିତ କରୁଥିବା ବେଳେ ଏକମାତ୍ର ପୁଅ ଗୌରାଙ୍ଗ ଚନ୍ଦ୍ର ପ୍ରଧାନ ବୃଦ୍ଧ ମା’ବାପାଙ୍କୁ ହଇରାଣହରକତ କରୁଥିବ ବେଳେ କୌଣସି କଥା ବୁଝୁ ନାହିଁ । ବୃଦ୍ଧାବାପା ନିଜ ଅର୍ଜିତ ଜାଗାରେ ଏକ ପାଇଖାନା ନିର୍ମାଣ କରୁଥିବା ବେଳେ ବାରମ୍ବାର ପୁତ୍ର ଗୌରାଙ୍ଗ ପିଟାମାରା କରିବା ସହ ଗାଳିଗୁଲଜ କରି ପାଇଖାନା ନିର୍ମାଣକୁ ବନ୍ଦ କରିଦେଇଛି । ଶେଷରେ ପୁଅର ଅତ୍ୟାଚାର ସହି ନପାରି ବୃଦ୍ଧାବୃଦ୍ଧ ୨ଜଣ ନୀଳଗିରି ଉପ-ଜିଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କୁ ଭେଟି ଅଭିଯୋଗ କରିଛନ୍ତି । ନୀଳଗିରି ଉପ-ଜିଲାପାଳ ଶ୍ରୀ ସେଠୀ ବୃଦ୍ଧାବୃଦ୍ଧଙ୍କୁ କେତେଦୂର ସାହାଯ୍ୟ କରି ନିଜର ମଣିଷ ପଣିଆ ଜାହିର କରିବେ ଦେଖିବାକୁ ବାକି ରହିଲା ।