ୟୁକ୍ରେନରୁ ଆଠ ଦିନରେ ସ୍ୱଦେଶ ଫେରିଲେଣି ଏତିକି ଭାରତୀୟ
ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ, ଅନେକଙ୍କ କଷ୍ଟ ଦୁଇ ଗୁଣିତ କରିଦେଇଛି । ବିଶେଷ କରି ସେଠାରେ ଭୟଭୀତ ଅବସ୍ଥାରେ ଦିନ କାଟୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଅବସ୍ଥା ନ କହିବା ଭଲ । ଅନେକ ଛାତ୍ରଛାତ୍ରୀ ଫେରିଛନ୍ତି, ହେଲେ ଅନେକ ଏବେ ମଧ୍ୟ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି । କିଛି ବଙ୍କରରେ ଲୁଚିରହିଛନ୍ତି ତ, ଆଉ କିଛି ହସ୍ପିଟାଲ କିମ୍ବା ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇ ସାହାଯ୍ୟକୁ ଅପେକ୍ଷା କରିଛନ୍ତି । ହେଲେ କେନ୍ଦ୍ର ଏବଂ ରାଜ୍ୟର ଉଦ୍ୟମରେ ଧିରେ ଧିରେ ସୁରକ୍ଷିତ ଘରକୁ ଫେରିବା ଆରମ୍ଭ କରିଛନ୍ତି । ଆଉ ଯେଉଁମାନେ ଫସିରହିଛନ୍ତି, ସେମାନଙ୍କ ପାଇଁ ବାପା-ମା ଚିନ୍ତାରେ ଦିନ କାଟୁଛନ୍ତି ।
ୟୁକ୍ରେନ ଏବଂ ରୁଷ ଯୁଦ୍ଧ ମଧ୍ୟରେ ଫସିରହିଥିବା ଅନେକ ଭାରତୀୟ ଛାତ୍ରଛାତ୍ରୀ ଧିରେ ଧିରେ ଘରକୁ ଫେରୁଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରୟାସ ଜରିଆରେ ୟୁକ୍ରେନ ସୀମାରୁ ସୁରକ୍ଷିତ ଛାତ୍ରଛାତ୍ରୀଙ୍କୁ ଅଣାଯାଉଛି । ଯେଉଁମାନେ ଫେରୁଛନ୍ତି, ତାଙ୍କୁ ପରିବାର ଲୋକେ ପାଇ ବେଶ ଭାବବିହ୍ୱଳ ହୋଇଯାଉଥିବାବେଳେ ଫସିରହିଥିବା ପିଲାଙ୍କ ଚିନ୍ତାରେ ମା-ବାପା ଦିନ କାଟୁଛନ୍ତି । ସେମାନେ କିଭଳି ଘରକୁ ସୁରକ୍ଷିତ ଫେରିବେ ସେ ନେଇ ସରକାରଙ୍କ ପାଖରେ ଗୁହାରି ଲଗାଉଛନ୍ତି ।
ୟୁକ୍ରେନ କ୍ରାଇସିସ୍ ମଧ୍ୟରେ ବୈଦେଶିକ ମନ୍ତ୍ରାଳୟ ଏକ ପ୍ରେସ କନଫରନ୍ସେରେ ସ୍ୱଦେଶ ଫେରିଥିବା ଭାରତୀୟଙ୍କ ବିଷୟରେ ସୂଚନା ଦେଇଛନ୍ତି। ବୈଦେଶିକ ମନ୍ତ୍ରାଳୟର ସୂଚନାନୁସାରେ, ୨୦ ହଜାରରୁ ଅଧିକ ଭାରତୀୟ ୟୁକ୍ରେନ ଛାଡ଼ି ସାରିଲେଣି। ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି ଯେ, ୪୮ ଟି ବିମାନରେ ୧୦ ହଜାର ୩୪୮ ଲୋକ ସ୍ୱଦେଶ ଫେରିସାରିଲେଣି। ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତାଙ୍କ ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ୧୬ ଟି ବିମାନ ଅନ୍ୟ ଭାରତୀୟଙ୍କୁ ଉଦ୍ଧାର କରି ଆଣିବ। ସେହିପରି ଗତଦ ୨୪ ଘଣ୍ଟାରେ ୧୮ ଟି ବିମାନ ଭାରତୀୟକୁ ୟୁକ୍ରେନରୁ ଆଣିଛି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଅପରେସନ ଗଙ୍ଗାରେ ବାୟୁସେନାର ୪ ଟି ବିମାନ ସାମିଲ ରହିଛି।
ଅରିନ୍ଦମ ବାଗଚି କହିଛନ୍ତି ଯେ, ଖାରଖିଭ୍ ଓ ସୁମୀରୁ ଭାରତୀୟଙ୍କୁ ଉଦ୍ଧାର କରିବା ଆମର ମୂଳ ଫୋକସ। ସେ କହିଛନ୍ତି ଯେ, ଖାରଖିଭ୍ ରେ ପାଖାପାଖି ୩୦୦ ଭାରତୀୟ ଫସି ରହିଛନ୍ତି। ଆମେ ୟୁକ୍ରେନି ଅଫିସରଙ୍କୁ ବିଶେଷ ଟ୍ରେନ ଦେବା ନେଇ କହିଥିଲୁ। ବିଦେଶ ମନ୍ତ୍ରାଳୟ କହିଛି ଯେ, ଖାରଖିଭରେ ଫସିଥିବା ଭାରତୀୟଙ୍କୁ ବାହାର କରିବାକୁ ଚେଷ୍ଟା ଜାରି ରହିଛି ହେଲେ ଯୁଦ୍ଧ ସାମ୍ନାରେ ଆସୁଛି। ଯଦି ଯୁଦ୍ଧରେ କିଛି ସମୟ ବିରାମ ଲାଗେ ତେବେ ଭାରତୀୟଙ୍କୁ ଉଦ୍ଧାର କରିବାକୁ ସହଜ ହେବ ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି।