ଏଥର ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା, ଶ୍ରୀଜିଉଙ୍କୁ ଛୁଇଁବା ମନା
ପୁରୀ : କରୋନା ଯୋଗୁ ଦୀର୍ଘ ଦୁଇବର୍ଷ ହେଲା ଭକ୍ତ ବିନା ଶ୍ରୀଜଗନ୍ନାଥଙ୍କ ସ୍ନାନ ଓ ରଥ ଯାତ୍ରା ସମ୍ପନ୍ନ ହେଉଥିବା ବେଳେ ଏଥର ଏହି ନିୟମକୁ କୋହଳ କରାଯାଇଛି । ଏଥର ଶ୍ରଦ୍ଧାଳୁଙ୍କ ସମାଗମରେ ହେବ ସ୍ନାନ ଓ ରଥଯାତ୍ରା । ଗୁରୁବାର ବସିଥିବା ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ଦଇତାପତି ନିଯୋଗ ଓ ଅନ୍ୟ ସେବାୟତ ନିଯୋଗ ଉପସ୍ଥିତ ଥିଲେ ।
ନିଷ୍ପତି ମୁତାବକ, ସ୍ନାନ ମଣ୍ଡପ ତଳେ ଛିଡ଼ା ହୋଇ ଭକ୍ତମାନେ ସ୍ନାନ ଯାତ୍ରା ଦେଖିପାରିବେ । ଶୃଙ୍ଖଳିତ ପହଣ୍ଡି, ହାତୀ ବେଶ ବେଳେ କିପରି ସେବାୟତ ମଣ୍ଡପରେ ରହିବେନି ସେ ଦିଗରେ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇଥିଲା । ସ୍ନାନ ଓ ରଥ ଯାତ୍ରା ସମୟରେ ଭକ୍ତମାନେ ପୁରୀକୁ ଆସିଲେ କିପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି ବରିଷ୍ଠ ସେବାୟତ । ଏହି ବୈଠକରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପ୍ରସ୍ତାବ ଦେଇଛନ୍ତି ସେବାୟତ । ହାତୀବେଶ ପରେ ୨ରୁ ୩ ଘଂଟା ପାଇଁ ଭକ୍ତମାନଙ୍କୁ ସ୍ନାନ ମଣ୍ଡପ ପାଖକୁ ଯିବାକୁ ଅନୁମତି ମିଳିବ । ଯେପରି ପୂର୍ବ ଭଳି ଶ୍ରଦ୍ଧାଳୁ ଶ୍ରୀମନ୍ଦିରରୁ ଭିତରୁ ହୋଇ ସ୍ନାନ ମଣ୍ଡପ ତଳୁ ଦର୍ଶନ କରୁଥିଲେ ସେଭଳି କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ୨ରୁ ୩ ଘଂଟା ପାଇଁ ସାହାଣମେଲା ଦର୍ଶନ ପାଇଁ ବି ଛତିଶା ନିଯୋଗ ପ୍ରସ୍ତାବ ଦେଇଛି ।