ସମ୍ବଲପୁରରେ ସୁଧୁରୁଛି ସ୍ଥିତି : ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ, ସାଢ଼େ ୮ ଘଣ୍ଟା କର୍ଫ୍ୟୁ କୋହଳ
ସମ୍ବଲପୁର : ସମ୍ବଲପୁର ପରିସ୍ଥିତି ସୁଧୁରିବାରେ ଲାଗିଛି । କିନ୍ତୁ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ନେବା ଜାରି କରିଛନ୍ତି । ତୃତୀୟ ଥର ପାଇଁ ଇଣ୍ଟରନେଟ ସେବା ବନ୍ଦ ଅବଧି ବୃଦ୍ଧି କରାଯାଇଛି । ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ କରାଯାଇଥିବା ନେଇ ଜିଲା ପ୍ରଶାସନ ସୂଚନା ଦେଇଛି । ଆସନ୍ତା ବୁଧବାର ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରହିବ ବୋଲି କୁହାଯାଇଛି ।
ଏଣେ ସ୍ଥିତି ସୁଧୁରୁଥିବାରୁ କର୍ଫ୍ୟୁକୁ ଆହୁରି କୋହଳ କରାଯାଇଛି । ଆଜି ପାଇଁ ୨ଟି ପର୍ଯ୍ୟାୟରେ ସାଢ଼େ ୮ ଘଣ୍ଟା କୋହଳ ହେବ କର୍ଫ୍ୟୁ । ସକାଳ ୭ଟାରୁ ଅପରାହ୍ଣ ୧ଟା ଏବଂ ସାଢ଼େ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ଏହି ସମୟରେ ଲୋକେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା କରିପାରିବେ ବୋଲି କୁହାଯାଇଛି।
ସେପଟେ ସହରରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଅହରହ ଉଦ୍ୟମ ଚଳାଇଛି ପ୍ରଶାସନ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ବସିଛି । ସମ୍ବଲପୁରରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଗତ ସୋମବାର ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ବରିଷ୍ଠ ପଦାଧିକାରୀମାନଙ୍କ ସହିତ ବୈଠକ କରି ହିଂସା ରୋକିବା ଏବଂ ସମ୍ବଲପୁର ସହରରେ ଶାନ୍ତି ଫେରାଇ ଆଣିବା ଦିଗରେ ବିସ୍ତୃତ ଆଲୋଚନା କରିଥିଲେ। ଗତ ଦୁଇ ଦିନ ଗଣମାଧ୍ୟମରେ ବିବୃତି ରଖି ସହରବାସୀଙ୍କୁ ଶାନ୍ତି ବଜାୟ ରଖିବାରେ ସହଯୋଗ କରିବାକୁ ସେ ନିବେଦନ କରିଥିଲେ। ଏପଟେ ଇଣ୍ଟରନେଟ୍ ସେବା ମଧ୍ୟ ସହରରେ ବନ୍ଦ ରହିଛି ।