ବାଲେଶ୍ୱର ଜିଲା ଫଟୋଗ୍ରାଫର ସଂଘର ରୌପ୍ୟଜୟନ୍ତୀ ଉତ୍ସବ
ବାଲେଶ୍ୱର : ବାଲେଶ୍ୱର ଜିଲା ଫଟୋଗ୍ରାଫର ସଂଘର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ଉତ୍ସବ ରବିବାର ଗାନ୍ଧିସ୍ମୃତି ଭବନ ପରିସରରରେ ଅନୁଷ୍ଠିତ ହୋଇଯାଇଛି । ଦିବସବ୍ୟାପୀ ଆୟୋଜିତ ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମକୁ ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଉଦ୍ଘାଟନ କରି ଫଟୋଗ୍ରାଫର ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ ବିଧିବଦ୍ଧ ଭାବେ ଚେଷ୍ଟା କରିବା ପାଇଁ ସଂଘର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିବା ବେଳେ ଜାତୀୟ ସ୍ତରର ବିଶିଷ୍ଟ ଫଟୋଗ୍ରାଫର ରାଜୁ ସୁଲତାନିଆ ଯୋଗଦେଇ ଫଟୋ ଉଠାଇବା ପାଇଁ କ୍ୟାମେରା ଠାରୁ ଉନ୍ନତ କୌଶଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାର ପ୍ରକାଶ କରିଥିଲେ । ସେହିପରି ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ସଂଘର ସ୍ଥାୟୀ ଗୃହ ପାଇଁ ସରକାରୀ ଜମି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅତିଥି ପ୍ରତିଭାଶ୍ରୀର ମୁଖ୍ୟ କବି ପ୍ରଶାନ୍ତ ଦାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୀବ ଦ୍ୱିବେଦୀ ଏବଂ ଅତାବିରା ଫଟୋଗ୍ରାଫର ଆସୋସିଏସନର ଉପ-ସଭାପତି ସଞ୍ଜୟ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ ।
ସଂଗଠନର ସଭାପତି ମାନସ କୁମାର ପାଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଉପସଭାପତି ନିରଞ୍ଜନ ବରାଳ ମଞ୍ଚ ଆବାହନ ଏବଂ ସମ୍ପାଦକ ଅମରଜିତ ଦାସ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ସୁଶାନ୍ତ ମହାନ୍ତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲାବେଳେ କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲାର ବରିଷ୍ଠ ଫଟୋଗ୍ରାଫର ବିଶ୍ୱଜିତ ରଣା, ସତ୍ୟନାରାୟଣ ସାହୁ, ଗୁଣନିଧି ମହାପାତ୍ର, ଜିତେନ ଦାସ, ସୁଶାନ୍ତ କୁମାର ପ୍ରଧାନ ଏବଂ ଲକ୍ଷ୍ମଣ କୁମାର ଶଙ୍ଖୁଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳଚ୍ଚିତ୍ର ତଥା ଆଲବମ କଳାକାର ଅଶ୍ୱିନୀ ତ୍ରିପାଠୀଙ୍କୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ରୌପ୍ୟଜୟନ୍ତୀ ଉପଲକ୍ଷେ ଜିଲା ରକ୍ତ ଭଣ୍ଡାରରେ ସଙ୍ଗଠନ ପକ୍ଷରୁ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରର ସ୍ୱେଚ୍ଛାକୃତ ରକ୍ତାଦାତାମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହିତ ସଦସ୍ୟମାନଙ୍କ ମଧ୍ୟରେ ଆୟୋଜିତ ଅନଲାଇନ ନେଚର ଫଟୋଗ୍ରାଫର ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଧ୍ୟାହ୍ନ ଭୋଜନ ପରେ ମଡେଲ ମାନଙ୍କ ଦ୍ୱାରା ର୍ୟାମ୍ପ ସୋ, କଳାକାରମାନଙ୍କ ଦ୍ୱାରା ଆଧୁନିକ ନୃତ୍ୟ ପରିବେଷଣ କରାଯିବା ସହିତ କଣ୍ଠଶିଳ୍ପୀ ଶୈଳଭାମା ଏବଂ ତାଙ୍କ ଟ୍ରୁପ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଗଠନର ବରିଷ୍ଠ ସଦସ୍ୟ ପ୍ରଦୀପ କୁମାର ନାୟକ, ଅଦିତ କୁମାର ଦେ, ସଞ୍ଜୀବ ଜେନା, ମିଲନ କୁମାର ଦାସ, ଭାସ୍କର ବନ୍ଦ୍ର ମହାପାତ୍ର, ସମର କରଣ, ସମ୍ଭୁନାଥ ସାହୁ, ପ୍ରମୋଦ ସିଂହ, ହରିଶ୍ ଚନ୍ଦ୍ର ବେହେରା, ସଞ୍ଜୟ ସେନାପତି, ସୁଶାନ୍ତ କୁମାର ଜେନା, ଲକ୍ଷ୍ମୀ ପ୍ରସାଦ ପାଢ଼ୀ, ସୁଶାନ୍ତ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।