ପିଏମ୍ୟୁ ଗଠନ ପାଇଁ ଆର୍ନଷ୍ଟ୍ ଆଣ୍ଡ ୟଙ୍ଗ୍ଙ୍କ ସହ ଚୁକ୍ତିପତ୍ର ସ୍ୱାକ୍ଷର
- ତ୍ୱରାନ୍ୱିତ ଲକ୍ଷ୍ୟ ହାସଲ ନିମନ୍ତେ ଦକ୍ଷତା ବୃଦ୍ଧି କରିବାକୁ ବିଭାଗମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ଯୋଜନା ଓ ସମନ୍ୱୟ ବିଭାଗରେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ତତ୍ୱାବଧାନ ୟୁନିଟ୍ (ପି.ଏମ୍.ୟୁ) ଗଠନ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆର୍ନଷ୍ଟ ଆଣ୍ଡ୍ ୟଙ୍ଗ୍ଙ୍କ ସହ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏ ସମ୍ବନ୍ଧିତ ବୈଠକରେ ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଦେବେନ୍ଦ୍ର କୁମାର ଜେନା ଏବଂ ଆର୍ନଷ୍ଟ ଆଣ୍ଡ୍ ୟଙ୍ଗ୍ କଂପାନୀ ର ପରାମର୍ଶଦାତା ସହଭାଗୀ ରୋହିତ୍ ଅଗ୍ରୱାଲ୍ ସ୍ୱାକ୍ଷର କରିଥିଲେ । ଚୁକ୍ତିପତ୍ରରେ ଥିବା ବିଭିନ୍ନ ବିଷୟ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ୍ର କହିଥିଲେ ଯେ ଏସ୍.ଡି.ଜି. ଏ ବିଶ୍ୱ ସମୁଦାୟ ଦ୍ୱାରା ସ୍ଥିରିକୃତ ଲକ୍ଷ୍ୟ । ପରିବର୍ତିତ ବିଶ୍ୱ ପରିସ୍ଥିତିରେ ଏସ୍.ଡି.ଜି. ଲକ୍ଷ୍ୟ ହାସଲ ଏକାନ୍ତ ଜରୁରୀ । ଏହା ମାଧ୍ୟମରେ ସମନ୍ୱିତ ଏବଂ ନିରନ୍ତର ଅବିବୃଦ୍ଧି ହାସଲ ସହ ସାମାଜିକ ନ୍ୟାୟ ବଜାୟ ରହିବ । ଏସ୍.ଡି.ଜି. ହାସଲ ପ୍ରକ୍ରିୟାକୁ ଲକ୍ଷ୍ୟଭେଦୀ ଏବଂ ତ୍ୱରାନ୍ୱିତ କରିବା ନିମନ୍ତେ ଅନ୍ତବିଭାଗୀୟ ଦକ୍ଷତା ବୃଦ୍ଧି କରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ଏହି ପି.ଏମ୍.ୟୁ. ଏସ୍.ଡି.ଜି.-୨୦୩୦ ହାସଲ ନିମନ୍ତେ ବିଭିନ୍ନ ବିଭାଗମାନଙ୍କ ସହ ସମନ୍ୱିତ ଭାବେ କାର୍ଯ୍ୟ କରିବ । ବହୁମୁଖୀ ଦ୍ରାରିଦ୍ର୍ୟ ମାନକ ଅନୁସାରେ ରାଜ୍ୟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ମଧ୍ୟ ସହାୟକ ହେବ । ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଆଦି ବିଷୟରେ ଥିବା ବିକ୍ଷିପ୍ତ ତଥ୍ୟକୁ ସମନ୍ୱିତ କରି ଆବଶ୍ୟକ ପଡୁଥିବା ପଦକ୍ଷେପ ବିଷୟରେ ତଥ୍ୟ-ଭିତିକ ସୂଚନା ଦେବ । ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ ପି.ଏମ୍.ୟୁ ଏସ୍.ଡି.ଜି. ର ଅନୁଧାବନ ନିମନ୍ତେ ଏକ ମୂଳ ତଥ୍ୟ-ଭିତି ରିପୋର୍ଟ ପ୍ରସ୍ତୁତ କରିବ । ଏହା ପରେ ପ୍ରତିବର୍ଷ ବାର୍ଷିକ ରିପୋର୍ଟ୍ ପ୍ରସ୍ତୁତ ହେବ । ମୂଳ ତଥ୍ୟ-ଭିତି ସହ ବାର୍ଷିକ ରିପୋର୍ଟ୍ର ତୁଳନାକରି କେଉଁ କ୍ଷେତ୍ରରେ କିପରି ପଦକ୍ଷେପ ଓ ପୁଞ୍ଜିନିବେଶର ଆବଶ୍ୟକତା ଅଛି ତାହା ନିର୍ଦ୍ଧାରଣ କରାଯିବ । ପି.ଏମ୍.ୟୁ. ଉଭୟ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଏସ୍.ଡି.ଜି. ହାସଲ ପ୍ରକ୍ରିୟାର ତତ୍ୱାବଧାନ କରିବ । ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବଅଶୋକ କୁମାର ମୀନା, ଆର୍ନଷ୍ଟ ଆଣ୍ଡ ୟଙ୍ଗ୍ ର ନିର୍ଦ୍ଦେଶକ ଗୌରବ ତାନେଜାଙ୍କ ସମେତ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତି ସ୍ୱାକ୍ଷର ବୈଠକରେ ଯୋଗଦେଇଥିଲେ ।