ସିଦ୍ଧୁ ମୁସେୱାଲା ହତ୍ୟାକଣ୍ଡ : ଲୋରେନ୍ସ ବିସ୍ନୋଇ ଗିରଫ
ପଞ୍ଜାବ: ପଞ୍ଜାବର ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଉକ୍ତ ମାମଲାରେ ଗ୍ୟାଙ୍ଗଷ୍ଟାର ଲୋରେନ୍ସ ବିସ୍ନୋଇକୁ ପଞ୍ଜାବ ପୁଲିସ ଗିରଫ କରିଛି । ସିଦ୍ଧୁ ହତ୍ୟାକାଣ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ ଔପଚାରିକ ଭାବେ ଲୋରେନ୍ସଙ୍କୁ ଗିରଫ କରିବାକୁ ଅନୁମତି ପ୍ରଦାନ କରିଥିଲେ । ଗିରଫ ପରେ ଲୋରେନ୍ସକୁ ଦିଲ୍ଲୀର ଅଦାଲତରେ ହାଜର କରାଯାଇଥିଲା । ପଞ୍ଜାବ ପୁଲିସ ତରଫରୁ ଜମା କରାଯାଇଥିବା ଟ୍ରାଞ୍ଜିଟ ରିମାଣ୍ଡ ଆବେଦନ ଏବେ ବିଚାରଧୀନ ରହିଥିବା ଦିଲ୍ଲୀ କୋର୍ଟ କହିଛନ୍ତି । ଅନ୍ୟପଟେ ଦିଲ୍ଲୀ ପୁଲିସ ଲୋରେନ୍ସର ରିମାଣ୍ଡ ମାଗିଥିଲେ ମଧ୍ୟ କୋର୍ଟ ପଞ୍ଜାବ ପୁଲିସର ଦାବିକୁ ପୂରଣ କରିଛି ।
ପଞ୍ଜାବ ପୁଲିସ୍ ପକ୍ଷରୁ କୋର୍ଟରେ ଦୁଇଟି ଆବଦେନ ଦାଖଲ କରାଯାଇଥିଲା। ଗୋଟିଏ ଆବେଦନରେ ଲରେନ୍ସଙ୍କର ଗିରଫଦାରୀ ଓ ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ଆଉ ଗୋଟିଏ ଆବେଦନ କରାଯାଇଥିଲା। ପ୍ରଥମେ କୋର୍ଟ ପଞ୍ଜାବ ପୁଲିସ୍କୁ ଗିରଫଦାରୀ ପାଇଁ ଅନୁମତି ଦେଇଥିଲେ। ସେହିପରି ସନ୍ଧ୍ୟା ସମୟରେ ଟ୍ରାଞ୍ଜିଟ ରିମାଣ୍ଡରେ ନେବାକୁ ମଧ୍ୟ କୋର୍ଟ ସହମତି ପ୍ରକାଶ କରିଛନ୍ତି। ପିଟିଆଲା ହାଉସ କୋର୍ଟର ଡ୍ୟୁଟି ମାଜିଷ୍ଟ୍ରେଟଙ୍କୁ ପଞ୍ଜାବ ସରକାର କହିଛନ୍ତି ଯେ “ଲରେନ୍ସଙ୍କୁ ଦିଲ୍ଲୀରୁ ପଞ୍ଜାବ ନେବା ପାଇଁ ୫୦ ଜଣ ପୁଲିସ୍ କର୍ମଚାରୀ ରହିବେ। ଦୁଇଟି ବୁଲେଟ ପ୍ରୁଫ କାର ସହ ୧୨ଟି ଅତିରିକ୍ତ ଗାଡ଼ି ଏକା ସାଙ୍ଗରେ ଯିବେ। ଯେଉଁ ରାସ୍ତାରେ ଗାଡ଼ିଗୁଡ଼ିକ ଯିବ, ତା’ର ଭିଡିଓ ଗ୍ରାଫି କରାଯିବ। କୌଣସି ଜେଲରୁ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ବେଳେ ଯେଉଁ ସବୁ ନିୟମ ପାଳନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି, ସେସବୁ ବ୍ୟବସ୍ଥା ଗ୍ରହଣ କରାଯିବ।”
ସୂଚନା ଯେ, ଗତ ମେ ୨୯ ତାରିଖରେ ସିଦ୍ଧୁ ମୁସେୱାଲାଙ୍କୁ ପଞ୍ଜାବର ମାନସାରେ ଅତ୍ୟନ୍ତ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ପରେ କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଥିଲା। ବ୍ରାର ତିହାର ଜେଲରେ ଥିବା ଲରେନ୍ସଙ୍କ ଘନିଷ୍ଠ ସହଯୋଗୀ ହୋଇଥିବାରୁ ମୁସେୱାଲାଙ୍କ ହତ୍ୟା ପଛରେ ତାଙ୍କର ମଧ୍ୟ ହାତ ଥିବା ପଞ୍ଜାବ ପୁଲିସ୍ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି।