ପଞ୍ଜାବରେ ସ୍ୱେଚ୍ଛାସେବୀଙ୍କ ଠାରୁ ହାରିଲେ ସିଦ୍ଧୁ
ଚଣ୍ଡିଗଡ଼ : ପଞ୍ଜାବରେ ଇତିହାସ ସୃଷ୍ଟି କରି ଆମ୍ ଆଦମୀ ପାର୍ଟି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ସେପଟେ କଂଗ୍ରେସର ବଡ଼ ବଡ଼ ନେତାମାନେ ମଧ୍ୟ ନିଜ ଆସନରେ ସେମିତି ଭଲ ପ୍ରଦର୍ଶନ କରିପାରନାହାନ୍ତି । ପଞ୍ଜାବରେ କଂଗ୍ରେସକୁ ପରାଜୟ ମିଳିଛି। ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଅମୃତସର (ଇଷ୍ଟ) ଆସନରେ ପ୍ରତିଦ୍ୱନ୍ଦ୍ୱୀତା କରି ପରାଜିତ ହୋଇଛନ୍ତି । ହେଲେ ନବଜୋତ ସିଂ ସିଦ୍ଧୁଙ୍କୁ ପରାସ୍ତ କରିଛି କିଏ ? ଆପର ଜଣେ ସାଧାରଣ ସ୍ୱେଚ୍ଛାସେବୀ ଜୀବନ ଜ୍ୟୋତି କୌରଙ୍କ ଠାରୁ ସିଦ୍ଧୁ ୬୭୫୦ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି । କେବଳ ସିଦ୍ଧୁ ନୁହଁନ୍ତି ଅକାଳୀ ଦଳର ନେତା ବିକ୍ରମ ସିଂହ ମାଜିଥିଆଙ୍କୁ ମଧ୍ୟ ସେ ପରାସ୍ତ କରିଛନ୍ତି ।
“ମୁଁ ବାରମ୍ବାର କହୁଛି, ଏହି ସାଧାରଣ ମଣିଷକୁ ଚ୍ୟାଲେଞ୍ଜ କରନ୍ତୁ ନାହିଁ, ଦିନେ ସେ ଠିଆ ହେବେ, ବଡ ବିପ୍ଳବ ଆସିବ ଏବଂ ବଡ ଚେୟାର କମ୍ପିତ ହେବ। ମୁଁ ଆଜି ଦେଶର ଲୋକଙ୍କୁ ନିବେଦନ କରୁଛି, ଆପଣଙ୍କ ନିଜର ସାମର୍ଥ୍ୟ ଜାଣିବା ପରେ ଠିଆ ହୁଅ, ୭୫ ବର୍ଷ ନଷ୍ଟ ହୋଇଛି, ଆଉ ନାହିଁ” ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ସେପଟେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼େଇରେ ପ୍ରବେଶ କରିଥିବା ଜୀବନ ଜ୍ୟୋତି ‘ପ୍ୟାଡ୍ ମହିଳା’ ଭାବେ ଜଣାଶୁଣା । ସେ ପଞ୍ଜାବର ଜେଲରେ ଥିବା ମହିଳା କଏଦୀମାନଙ୍କୁ ସାନିଟାରୀ ନାପକିନ୍ ପ୍ରଦାନ କରୁଥିଲେ। ଜୀବନ ଜ୍ୟୋତି କୌର ଗରିବ ମହିଳାମାନଙ୍କୁ ପ୍ଲାଷ୍ଟିକ୍ ସାନିଟାରୀ ପ୍ୟାଡ୍ ବ୍ୟବହାର କରିବାର ଖରାପ ପ୍ରଭାବ ବିଷୟରେ ଅବଗତ କରାଇଛନ୍ତି । ବର୍ତ୍ତମାନ ଭଗୱନ୍ତ ମନ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ହେବେ। ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ କେଜ୍ରିୱାଲଙ୍କ ଦଳ କୌଣସି ରାଜ୍ୟରେ ସଂଖ୍ୟାଗରିଷ୍ଠତା ହାସଲ କରିଛି।