ନୀଳଗିରି ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ଶୁଭଲକ୍ଷ୍ମୀ ମାଝୀ
ନୀଳଗିରି : ସମସ୍ତ କଳ୍ପନା, ଜଳ୍ପନାର ଅନ୍ତ । ଶେଷରେ ନୀଳଗିରି ବ୍ଲକ ହାତେଇଲା ବିଜେଡି । ବ୍ଲକର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ଗୋଟିଏ ଭୋଟ ବ୍ୟବଧାନରେ ନିର୍ବାଚିତ ହେଲେ ବିଜେଡି ପ୍ରାର୍ଥୀନୀ ଶୁଭଲକ୍ଷ୍ମୀ ମାଝୀ ।
ସୂଚନା ଯେ, ଶନିବାର ପୂର୍ବାହ୍ନ ୧୦ଟା ସମୟରେ ଦୁଇ ପ୍ରମୁଖ ଦଳର ୨୫ ସମିତିସଭ୍ୟ ସଭ୍ୟା ପ୍ରାର୍ଥୀ କଡ଼ା ସୁରକ୍ଷା ବଳୟରେ ନୀଳଗିରି ବ୍ଲକରେ ପ୍ରବେଶ କରିଥିଲେ । ପରେ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଭଉଁରିଆବାଡ଼ ପଞ୍ଚାୟତର ସମିତିସଭ୍ୟା ପ୍ରାର୍ôଥନୀ ଶୁଭଲକ୍ଷ୍ମୀ ମାଝୀ ବିଜେଡି ସମର୍ଥନରେ ଓ ରାଧା କିଶୋରପୁର ପଞ୍ଚାୟତର ସମିତିସଭ୍ୟା ସାବିତ୍ରୀ ସିଂ ଭାଜପା ସମର୍ଥନରେ ଏହି ଦୁଇ ଦଳ ନୀଳଗିରି ବ୍ଲକ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ । ନୀଳଗିରି ବ୍ଲକର ଅଧ୍ୟକ୍ଷା ପଦ ହାତେଇବାକୁ ୧୩ ସମିତି ସଭ୍ୟ ଆବଶ୍ୟକ ଥିବାବେଳେ ଭାଜପାର ସାବିତ୍ରୀ ପାଇଥିଲେ ୧୨ଟି ଭୋଟ ଓ ବିଜେଡିର ଶୁଭଲକ୍ଷ୍ମୀ ୧୩ ଖଣ୍ଡ ଭୋଟ୍ ପା ଥିବା ବେଳେ ନିର୍ବାଚନ ଅଧିକାରୀ ବାଲେଶ୍ୱରର ଡେପୁଟୀ କଲେକ୍ଟର ସବିତା ସାହୁ ଅଧ୍ୟକ୍ଷା ଭାବେ ଅଧିକ ଭୋଟ ପାଇଥିବା ଶୁଭଲକ୍ଷ୍ମୀ ମାଝୀଙ୍କ ନାମ ଘୋଷଣା କରିଥିଲେ । ପରେ ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମାଝୀ ବିଜେଡି ଦଳର ନେତା ଓ ସମର୍ଥକଙ୍କ ସହିତ ଏକ ବିରାଟ ପଟୁଆରରେ ବ୍ଲକରୁ ବାହାରି ବଜାର ଓ ବଡ଼ଦାଣ୍ଡ ପରିକ୍ରମା କରି ନିଳଗିରି ଜଗନ୍ନାଥ ମନ୍ଦିର ପୂଜା ଅର୍ଚ୍ଚନା କରିଥିଲେ ।
ସୂଚନା ଥାଉକି ଶ୍ରୀମତୀ ମାଝୀ ପ୍ରଥମଥର ପାଇଁ ପ୍ରାର୍ଥିନୀ ହୋଇ ନିର୍ବାଚନରେ ବିଜୟଲାଭ ହୋଇଥିଲେ ହେଁ ତାଙ୍କ ସ୍ୱାମୀ ମଦନ ମୋହନ ମାଝୀ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଅବସରପ୍ରାପ୍ତ ମହାପ୍ରବନ୍ଧକ । ସେ ଜଣେ ଉଚ୍ଚଶିକ୍ଷିତା ସହ ସୁଚାରୁରୂପେ ଗୃହିଣୀ ଧର୍ମ ପାଳନ କରି ସ୍ୱାମୀଙ୍କ ଅବସରପରେ ଜନସେବାକୁ ନିଜର ବ୍ରତ ଭାବି ପଞ୍ଚାୟତ ରାଜନୀତିରେ ମୈଦାନକୁ ଓହ୍ଲାଇଥିଲେ । ଶୁଭଲକ୍ଷ୍ମୀ ମାଝୀ ହେଉଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତାଙ୍କ କଲେଜ ବେଳର ବାନ୍ଧବୀ । ପରିବାରର ବନ୍ଧୁ ଓ ଉଭୟଙ୍କ ପରିବାର ଅତ୍ୟନ୍ତ ନିବିଡ଼ । ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଶୁଭଲକ୍ଷ୍ମୀଙ୍କ ପାଇଁ କେବଳ ଭଉଁରିଆବାଡ଼ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ମାଧ୍ୟମରେ ମାରାଥନ ପ୍ରଚାର କରିଥିଲେ ।