ଶ୍ରୀକ୍ଷେତ୍ରକୁ ଗଡ଼ିବ ‘ଶ୍ରୀଜଗନ୍ନାଥ ଏକ୍ସପ୍ରେସ’, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ପୁରୀ : ପୁରୀ ଶ୍ରୀକ୍ଷେତ୍ରକୁ ଗଡ଼ିବ ‘ଶ୍ରୀଜଗନ୍ନାଥ ଏକ୍ସପ୍ରେସ’ । ସବୁ ଜିଲାରୁ ପୁରୀକୁ ଗଡ଼ିବ ଲକ୍ଷ୍ମୀ ବସ୍ ‘ଶ୍ରୀଜଗନ୍ନାଥ ଏକ୍ସପ୍ରେସ’ । ଲକ୍ଷ୍ମୀ ଯୋଜନା ତୃତୀୟ ସୋପାନରେ ସ୍ୱତନ୍ତ୍ର ‘ଜଗନ୍ନାଥ ଏକ୍ସପ୍ରେସ୍’ ଏସି ଡିଲକ୍ସ ବସ୍ ଜିଲା ମୁଖ୍ୟାଳୟରୁ ପୁରୀକୁ ଯାତ୍ରା କରିବ । ଏଣିକି ଶ୍ରୀକ୍ଷେତ୍ରକୁ ଯିବା ଆସିବା ପାଇଁ ଶ୍ରଦ୍ଧାଳୁ ଆଉ ସମସ୍ୟା ଭୋଗିବେ ନାହିଁ । ଆରାମଦାୟକ ଶୀତତାପ ନିୟନ୍ତ୍ରିତ ବସରେ ଭକ୍ତମାନେ ପୁରୀକୁ ଯାତ୍ରା କରିବେ । ଗୁରୁବାର ଏହି ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପ୍ରଥମ ପର୍ଯ୍ୟାୟରେ ୧୫ ଜିଲା ମୁଖ୍ୟାଳୟରୁ ଶ୍ରୀକ୍ଷେତ୍ରକୁ ଏହି ବସ୍ ସେବା ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ବରରେ ୧୫ଟି ନୂଆ ଭୋଲଭୋ ବସ୍ ପହଞ୍ଚି ସାରିଛି । ଲକ୍ଷ୍ମୀ ବସ୍ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଗାଁରୁ ବ୍ଲକକୁ ବସ୍ ଚଳାଚଳ ଆରମ୍ଭ ହୋଇଥିଲା । ଦ୍ବିତୀୟ ପ୍ରଯ୍ୟାୟରେ ବ୍ଲକରୁ ସହର ମୁଖ୍ୟାଳୟ ଓ ତୃତୀୟ ପର୍ଯ୍ୟାୟରେ ସହରରୁ ଭାୟା ଭୁବନେଶ୍ବର ଦେଇ ପୁରୀକୁ ଆରମ୍ଭ ହେବ ବସ୍ ସେବା । ‘ଶ୍ରୀଜଗନ୍ନାଥ ବସ’ର ଶୁଭାରମ୍ଭ ପରେ ‘ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ଦେଖିବାକୁ ପୁରୀ ଆସିବେ ଶ୍ରଦ୍ଧାଳୁ। ଏନେଇ ପୂର୍ବରୁ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର।