ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ଶ୍ରେୟସ ଆୟର
ନୂଆଦିଲ୍ଲୀ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ଵିତୀୟ ଟେଷ୍ଟ ଆସନ୍ତା ୧୭ ତାରିଖ ଦିଲ୍ଲୀରେ ଖେଳାଯିବ। ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । ତେବେ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ନିରାଶ ଜନକ ଖବର। ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟର ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ରେ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରିବେ ନାହିଁ।
ଶ୍ରେୟସ ଏବେ ବି ସଂପୂର୍ଣ୍ଣ ଫିଟ୍ ନାହାନ୍ତି। ଏହି କାରଣରୁ ସେ ଦ୍ଵିତୀୟ ଟେଷ୍ଟରେ ଦଳରୁ ବାଦ୍ ପଡିବେ। ଶ୍ରେୟସ ଦ୍ଵିତୀୟ ଟେଷ୍ଟରୁ ବାଦ୍ ପଡୁଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କୁ ଆଉ ଏକ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସେହିପରି ଦଳର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ନେଇ ଆସିଛି ବଡ ଖବର। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ବାଦ୍ ପଡିଥିବା ବୁମରାଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିବା ସମ୍ଭାବନା କ୍ଷୀଣ ରହିଛି। ଫଳରେ ତାଙ୍କର ପଡିଆ ଫେରିବାରେ ଆହୁରି ସମୟ ଲାଗିପାରେ।
ସୂଚନା ଯେ, ନାଗପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ଇନିଂସ ଏବଂ ୧୩୨ ରନରେ ଜିତି ନେଇଛି। ଦ୍ଵିତୀୟ ଟେଷ୍ଟ ଦିଲ୍ଲୀର ଅରୁଣଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଅଷ୍ଟ୍ରେଲିଆ ନିଜ ଦଳରେ ପରିବର୍ତ୍ତନ କରିଛି। ଭାରତ ପରି ଭ୍ରମଣକାରୀ କଙ୍ଗାରୁ ଦଳ ଦ୍ଵିତୀୟ ଟେଷ୍ଟରେ ତିନି ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇବ। ତୃତୀୟ ଟେଷ୍ଟ ଇନ୍ଦୋରର ହୋଲକର ଷ୍ଟାଡିୟମରେ ମାର୍ଚ୍ଚ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଶୃଙ୍ଖଳାର ଶେଷ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମାର୍ଚ୍ଚ ୯ରୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଖେଳାଯିବ।