ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ୍ ପଡିଲେ ଶ୍ରେୟସ୍, ରଜତ ପାଟିଦାର ସାମିଲ
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ବଡ ଝଟକା । ଆହତଜନିତ ସମସ୍ୟା କାରଣରୁ ଦଳର ମଧ୍ୟକ୍ରମ ବ୍ୟାଟସମ୍ୟାନ ଶ୍ରେୟସ ଆୟର ଶୃଙ୍ଖଳାରୁ ବାଦ୍ ପଡିଛନ୍ତି । ବିସିସିଆଇ ସୂଚନା ଜାରି କରିଛି । ଶ୍ରେୟସଙ୍କ ସ୍ଥାନରେ ରଜତ ପାଟିଦାରଙ୍କୁ ଦଳରେ ସ୍ଥାନ ମିଳିଛି ।
ଶ୍ରେୟସ ଆୟରଙ୍କ ପିଠିରେ ଆଘାତ ଲାଗିଛି । ସୁସ୍ଥ ହେବା ପାଇଁ ଶ୍ରେୟସଙ୍କୁ ସଂପ୍ରତି ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ରହିବାକୁ ପଡିବ । ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜାନୁଆରୀ ୧୮ ଅର୍ଥାତ ଆସନ୍ତାକାଲିଠୁ ଆରମ୍ଭ ହେବ । ଏହି ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ । ଡାହାଣହାତୀ ବ୍ୟାଟର ଶ୍ରେୟସଙ୍କ ଗତ ବର୍ଷ ପ୍ରଦର୍ଶନ ପ୍ରଭାବଶାଳୀ ରହିଥିଲା । ସେ ୨୦୨୨ରେ ଭାରତ ପକ୍ଷରୁ ଦିନିକିଆରେ ସର୍ବାଧିକ ରନ କରିଥିଲେ । ସେ ୧୭ ଦିନିକିଆରେ ୭୨୪ ରନ କରିଥିଲେ । ତେବେ ୨୦୨୩ ଆରମ୍ଭ ଶ୍ରେୟସଙ୍କ ପାଇଁ ଆଶାନୁରୂପ ରହିନାହିଁ । ସେ ନିକଟରେ ସଂପନ୍ନ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳାରେ କୌଣସି ଖାସ୍ ପ୍ରଦର୍ଶନ କରି ପାରିନଥିଲେ । ଏଥିରେ ସେ ୨୮, ୨୮ ଏବଂ ୩୮ ରନ କରିଥିଲେ ।