ସିନେପ୍ରେମୀଙ୍କୁ ଝଟକା, ବଢ଼ିଲା ଫିଲ୍ମ ‘RRR’ ଟିକେଟ ଦାମ୍
ମୁମ୍ବାଇ : ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘RRR’ ମାର୍ଚ୍ଚ ୨୫ରେ ରିଲିଜ ହେବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ପ୍ରସିଦ୍ଧ ଚଳଚ୍ଚିତ୍ର ‘ବାହୁବଳୀ’ର ନିର୍ଦ୍ଦେଶକ ଏସ.ଏସ ରାଜାମୌଲି ଦେଇଛନ୍ତି । ଏହି ଚଳଚ୍ଚିତ୍ରର ରିଲିଜ ତାରିଖକୁ ବହୁ ଉତ୍ସାହର ସହ ଦର୍ଶକ ଅପେକ୍ଷା କରିଛନ୍ତି । ଫ୍ଲିଲ୍ମର ଟ୍ରେଲରଟି ଅନେକ ଦିନ ପୂର୍ବରୁ ରିଲିଜ ହୋଇସାରିଛି । ଯାହାକୁ ଦେଖିବା ପରେ ଫିଲ୍ମ ଦେଖିବାକୁ ଦର୍ଶକଙ୍କର ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି । ଏହି ଫିଲ୍ମରେ ଦର୍ଶକ ଜୁନିୟର ଏନଟିଆର, ଅଭିନେତା ରାମଚରଣ ଓ ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଦମଦାର ଅଭିନୟ ଦେଖିବାକୁ ପାଇବେ । ଯାହାର କିଛିଟା ଝଲକ ‘RRR’ର ଟ୍ରେଲରରେ ଦେଖିବାକୁ ମିଳିଛି । ଫିଲ୍ମକୁ ଦେଖିବାକୁ ଦର୍ଶକ ଏତେ ଉତ୍ସାହିତ ଯେ ଏହାର ଟିକେଟ୍ ବୁକିଂ ଏବେଠାରୁ ଆରମ୍ଭ ହୋଇଯାଇଛି । ତେବେ ଏହାରି ଭିତରେ ଦର୍ଶକଙ୍କ ପାଇଁ ଏକ ଦୁଃଖଦ ଖବର ରହିଛି । ସୂଚନା ଅନୁସାରେ ‘RRR’ର ଟିକେଟ ମହଙ୍ଗା ହେବାକୁ ଯାଉଛି ଅର୍ଥାତ ଏବେ ଦର୍ଶକଙ୍କୁ ‘RRR’ ଦେଖିବାକୁ ହେଲେ ଟିକେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।
ଆନ୍ଧ୍ରପ୍ରଦେଶ ସରକାର ‘RRR’ ଫିଲ୍ମର ନିର୍ମାତାଙ୍କୁ ଟିକେଟର ମୂଲ୍ୟ ବୃଦ୍ଧି ପାଇଁ ଅନୁମତି ଦେଇସାରିଛନ୍ତି । ସରକାରଙ୍କର ଏପରି ଅନୁମତି ପରେ ଏବେ ଚଳଚ୍ଚିତ୍ର ନିର୍ମାତା ଟିକେଟର ମୂଲ୍ୟ ବଢାଇପାରିବେ । ଫିଲ୍ମ ‘RRR’ ରିଲିଜ ହେବାର ୧୦ ଦିନ ପର୍ଯ୍ୟନ୍ତ ଟିକେଟର ମୁଲ୍ୟ ଅଧିକ ରହିବ ବୋଲି ଜଣାପଡ଼ିଛି । ଯଦିଓ ଏପର୍ଯ୍ୟନ୍ତ ଟିକେଟର ନୂତନ ମୁଲ୍ୟ ଧାର୍ଯ୍ୟ ହୋଇନାହିଁ । ଫିଲ୍ମ ପାଇଁ ସ୍ୱତନ୍ତ୍ର (Special) ଟିକେଟର ମୂଲ୍ୟ ଖୁବ ଶିଘ୍ର ସ୍ଥିର କରାଯିବ।
ରିପୋର୍ଟ ଅନୁସାରେ ମଲ୍ଟିପ୍ଲେକ୍ସ ସିନେମା ହଲରେ ପ୍ରଥମ ୩ ଦିନ ପର୍ଯ୍ୟନ୍ତ ସାଧାରଣ ସିଟର ମୂଲ୍ୟ ୭୦ ଟଙ୍କା ଅଧିକ ରହିବ । ସେହିପରି ରିକ୍ଲାଇନର ସିଟ୍ ପାଇଁ ୧୦୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଟିକେଟର ମୁଲ୍ୟ ଦେବାକୁ ପଡ଼ିବ । ଏହିପରି ଭାବେ ଫିଲ୍ମ ରିଲିଜ ହେବାର ୭ ଦିନ ପର୍ଯ୍ୟନ୍ତ ଟିକେଟର ମୁଲ୍ୟ ୫୦ ଟଙ୍କା ଅଧିକ ରହିବ । ସେହିପରି ଏ.ସି ସିଙ୍ଗଲ ସ୍କ୍ରିନ୍ ପାଇଁ ଦର୍ଶକଙ୍କୁ ଟିକେଟର ମୁଲ୍ୟ ୫୦ଟଙ୍କା ଅଧିକ ଦେବାକୁ ପଡ଼ିବ । ଏହା ପରେ ୭ ଦିନ ପର୍ଯ୍ୟନ୍ତ ଏହାର ମୁଲ୍ୟ ୩୦ଟଙ୍କା ଅଧିକ ରହିବ ।
‘RRR’ ଭାରତୀୟ ସିନେମା ଜଗତର ବଡ଼ ବଜେଟର ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ ଅନ୍ୟତମ । ୫୫୦ କୋଟି ବଜେଟର ଏହି ଚଳଚ୍ଚିତ୍ରର ବକ୍ସ ଅଫିସରେ ଖୁବ୍ ଭଲ ରୋଜଗାର କରିବ ବୋଲି ଚଳଚ୍ଚିତ୍ର ନିର୍ମାତା ଆଶା ରଖିଛନ୍ତି । ଏହି ଚଳଚ୍ଚିତ୍ର ଜରିଆରେ ପ୍ରଥମ କରି ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ପାଦ ଥାପିଛନ୍ତି ।ସେହିପରି ଏହି ଚଳଚ୍ଚିତ୍ରରେ ଅଳ୍ପ ସମୟ ପାଇଁ ଦର୍ଶକ ଅଜୟ ଦେବଗନଙ୍କ ଅଭିନୟ ମଧ୍ୟ ଦେଖିବାକୁ ପାଇବେ । ଯାହାକି ସାଉଥ ଇଣ୍ଡଷ୍ଟ୍ରିରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଅଟେ ।
‘RRR’ ଚଳଚ୍ଚିତ୍ର ଜରିଆରେ ଦୁଇ ସ୍ୱାଧିନତା ସଂଗ୍ରାମୀ ଅଲ୍ଲୁରି ସୀତାରାମ ରାଜୁ ଓ କୋମାରାମ ଭିମଙ୍କ ସ୍ୱାଧିନତା ସଂଗ୍ରାମର ଗାଥାକୁ ବର୍ଣ୍ଣନା କରାଯାଇଛି । ଏସଏସ ରାଜାମୌଲି ଏହି ଚଳଚ୍ଚିତ୍ରକୁ ତାମିଲି, ତେଲୁଗୁ ଏବଂ ହିନ୍ଦି ଭାଷା ବ୍ୟତିତ ଆହୁରି ଅନେକ ଭାଷାରେ ରିଲିଜ କରିବାକୁ ଯାଉଛନ୍ତି ।